ରାୟଗଡା: ବିଦ୍ୟୁତ ବିଭାଗର ଆବହେଳା ଯୋଗୁଁ ଚାଲି ଯାଇଥାନ୍ତା ଆଉ ଏକ ନିରୀହ ଛାତ୍ରର ଜୀବନ । ଅଳ୍ପକେ ବର୍ତ୍ତିଲେ ଛାତ୍ର । ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ର ଗୁରୁତର ହୋଇ ବର୍ତ୍ତମାନ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏଭଳି ଘଟଣା ଘଟିଛି ଜିଲ୍ଲାର କୋଲନରା ବ୍ଲକ ଅନ୍ତର୍ଗତ ଡୁମୁରିଗୁଡା ଆଶ୍ରମ ବିଦ୍ୟାଳୟରେ ।
ଏହି ବିଦ୍ୟାଳୟର ପ୍ରବୀଣ ହୁଇକା ନାମକ ଚତୁର୍ଥ ଶ୍ରେଣୀର ଛାତ୍ର ମଧ୍ୟାହ୍ନ ଭୋଜନ ଖାଇବା ପରେ ଖେଳୁଥିବା ବେଳେ ସ୍କୁଲ ଉପର ଦେଇ ଯାଇଥିବା ଉଚ୍ଚ ସଂପନ୍ନ ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ହଠାତ ଆସି ଯାଇଥିଲେ । ଫଳରେ ଛାତ୍ରକୁ ବିଦ୍ୟୁତ ଅଘାତ ଲାଗିବା ସହ ବାମ ଗୋଡ,ହାତ ଓ ଶରୀରର କିଛି ଅଂଶ ପୋଡିଯାଇଛି । ଘଟଣା ପରେ ସ୍କୁଲ କର୍ତ୍ତୁପକ୍ଷ ଛାତ୍ରକୁ ଆଣି ଚିକିତ୍ସା କରାଇଥିଲେ ।
ହେଲେ ସ୍କୁଲ ଉପର ଦେଇ ବିଦ୍ୟୁତ ତାର ଯାଇଥିବା ନେଇ ବାରମ୍ବାର ବିଦ୍ୟୁତ ବିଭାଗକୁ ଜଣାଇଥିଲେ ମଧ୍ୟ ଆଜି ଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ସ୍କୁଲ ପକ୍ଷରୁ ଅଭିଯୋଗ ହୋଇଛି । ଏନେଇ ବିଦ୍ୟୁତ ବିଭାଗର ପ୍ରତିକ୍ରିୟା ମିଳି ପାରିନାହିଁ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ