ରାୟଗଡାରେ ବାଘ ଛାଲ ଜବତ କଲା ଏସଟିଏଫ୍, ଦୁଇ ଗିରଫ - rayagada forest department
ରାୟଗଡ଼ାରେ ବନ୍ୟଜନ୍ତୁ ସୁରକ୍ଷା ଫେଲ । ଏସଟିଏଫ୍ ଦ୍ୱାରା ୨ଟି ବାଘ ଛାଲ ଜବତ ସହ ଦୁଇ ଗିରଫ । ବନ ବିଭାଗର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ? ଅଧିକ ପଢ଼ନ୍ତୁ
Published : Nov 9, 2023, 7:03 AM IST
ରାୟଗଡା: ବନ ବିଭାଗର ବନୀକରଣ ଓ ବନ୍ୟଜନ୍ତୁ ସୁରକ୍ଷା ବର୍ତ୍ତମାନ ଚିନ୍ତାଜନକ । ବନୀକରଣ ନାଁରେ ବନ ବିଭାଗରେ ହେଉଥିବା କୋଟି କୋଟି ଟଙ୍କାର ଦୁର୍ନୀତି ପଦାକୁ ଆସୁଥିବା ବେଳେ ବର୍ତ୍ତମାନ ରାୟଗଡ଼ା ଜିଲ୍ଲାରେ ବନ୍ୟଜନ୍ତୁ ସୁରକ୍ଷିତ ନୁହଁନ୍ତି । ଏହାରି ଭିତରେ ଗତ ବୁଧବାର ଏସଟିଏଫ୍ ୨ଟି ବାଘ ଛାଲ ଜବତ କରିବା ସହ ଦୁଇ ଜଣକୁ ଗିରଫ କରିଛି । ଜଙ୍ଗଲରୁ ନିଖୋଜ ହୋଇଯାଇଛନ୍ତି ହାତୀ ଓ କଲରାପତରିଆ ବାଘ । ଜିଲ୍ଲାରେ ୧୪ଟି ହାତୀ ଓ ୬ଟି ବାଘ ନିଖୋଜ ରହିଥିବା ଜଣାପଡ଼ିଛି । ବନ ବିଭାଗ ପାଖରେ ସେମାନେଙ୍କ ସମ୍ପର୍କରେ କୌଣସି ସୂଚନା ନଥିବା ଜଣାପଡିଛି । ଜିଲ୍ଲାରେ ଦିନକୁ ଦିନ ବାଘ ଚମଡା ଜବତ କରିବା ବନ ବିଭାଗର ପାରିବାପାଣିଆକୁ ପଦାରେ ପକାଇଛି ।
ଆଜି ଏସ୍ଟିଏଫ୍ ଦୁଇଟି କଲରାପତରିଆ ବାଘ ଛାଲ ସହ ଦୁଇଜଣଙ୍କୁ ଗିରଫ କରିଛି । କୌଣସି ସୂତ୍ରରୁ ଖବର ପାଇ ଏସଟିଏଫ୍ ଚାନ୍ଦିଲି ଥାନା ଅନ୍ତର୍ଗତ ତାମ୍ପରାବିଦୁଣି ଛକରେ ଚଢାଉ କରି ଚମଡ଼ା ଜବତ କରିବା ସହ ଦୁଇଜଣ ଗିରଫ କରିଥିଲା । ଗିରଫ ଦୁଇଜଣ ହେଲେ ଚନ୍ଦ୍ରପୁର ଥାନା ବିଜାପୁର ଗ୍ରାମର ବିକ୍ରମ ମାଝୀ ଏବଂ ରାଜା ମାଝୀ । ଏନେଇ ଏସ୍ଟିଏଫ୍ କେସ ନମ୍ବର 27ରେ ମାମଲା ରୁଜୁ କରିଛି । ଜବତ ଛାଲ ପରୀକ୍ଷଣ ପାଇଁ ଡେରାଡୁନ୍କୁ ପଠାଯିବା ସହ ଅଧିକ ତଦନ୍ତ ଜାରି ରହିଥିବା ଏସ୍ଟିଏଫ୍ ପକ୍ଷରୁ ସୂଚନା ମିଳିଛି ।
ତେବେ ସବୁଠାରୁ ବଡ କଥା ୨୦୧୭ ମସିହା ଗଣନା ଅନୁସାରେ ଜିଲ୍ଲାରେ ରହିଥିଲେ ୧୬ଟି ହାତୀ । ହେଲେ ବର୍ତ୍ତମାନ ୧୬ରୁ ୨ ହାତୀ ରହିଥିବା ବିଭାଗ ନିକଟରେ ତଥ୍ୟ ରହିଥିବା ବେଳେ ୧୪ ହାତୀ ନିଖୋଜ ରହିଛନ୍ତି । ଗୁଡ଼ାରୀ ଅଞ୍ଚଳରେ ୨ଟି ହାତୀ ରହିଥିବା ବନ ବିଭାଗ ନିକଟରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି । ୨୦୧୭ ବନ୍ୟ ଜନ୍ତୁ ଗଣନା ଅନୁସାରେ ଗୁଡ଼ାରୀ ଜଙ୍ଗଲରେ ୮, ମୁନିଗୁଡା ବନାଞ୍ଚଳରେ ୬ ଏବଂ କଲ୍ୟାଣସିଂହପୁର ବନାଂଚଳରେ ୨ଟି ହାତୀ ରହିଥିଲେ ।
ଏହା ମଧ୍ୟ ପଢନ୍ତୁ....ଶିମିଳିପାଳ ପାଦଦେଶରେ ବନବିଭାଗର ରେଡ୍: ୪ ବାଘ ଛାଲ ଜବତ, ୩ ଗିରଫ
ସେହିଭଳି ୨୦୧୬ ଗଣନା ଅନୁସାରେ ଜିଲ୍ଲାରେ ୬ଟି କଲରାପତରିଆ ବାଘ ରହିଥଲେ । ରାୟଗଡ଼ା ରେଞ୍ଜ ଅଧୀନରେ ଗୁମ୍ମା ସେକ୍ସନର ନାଥମା ଅଞ୍ଚଳରେ ୨, ମୁନିଗୁଡ଼ା ରେଞ୍ଜ ଅଧୀନରେ ପୋଖରୀରେ ୧, ଅମ୍ବାଦଳାରେ ୧ ଏବଂ ଚନ୍ଦ୍ରପୁର ଜଙ୍ଗଲରେ ୨ ରହିଥିବା ରାୟଗଡ଼ା ବନଖଣ୍ଡ କାର୍ଯ୍ୟାଳୟରୁ ଜଣାପଡ଼ିଛି । ତେବେ ୬ ବର୍ଷ ମଧ୍ୟରେ ୧୬ ହାତୀ ଓ ୭ ବର୍ଷ ମଧ୍ୟରେ ୬ କଲରାପତରିଆ ବାଘ କେଉଁଠି ରହିଛନ୍ତି ସେ ସୂଚନା ମଧ୍ୟ ବନ ବିଭାଗ ନିକଟରେ ନାହିଁ । ଦିନକୁ ଦିନ ଜଙ୍ଗଲ କ୍ଷୟ ଓ ଶିକାରୀଙ୍କ ଦୌରାତ୍ମ୍ୟ କାରଣରୁ ବନ୍ୟଜନ୍ତୁ ଲୋପ ପାଇଗଲେଣି ।
ଇଟିଭି ଭାରତ, ରାୟଗଡା