ରାୟଗଡା: ଅପା...। ନିୟମଗିରିରେ ତାଙ୍କୁ ଚିହ୍ନିବା ଲାଗି ଏତିକି ହିଁ ଯଥେଷ୍ଟ । ଛୁଆ ଠୁ ବୁଢା ସମସ୍ତଙ୍କର ସେ ଅପା । ଜଗତସିଂହପୁରରେ ଜନ୍ମ ହୋଇଥିଲେ ମଧ୍ୟ ନିୟମଗିରିରେ ଅପା ଭାବେ ବେଶ ପରିଚିତ 65 ବର୍ଷୀୟା ଶାନ୍ତନୁ ମହାପାତ୍ର । ନିୟମଗିରିରେ ଅନ୍ଧବିଶ୍ବାସର ଅନ୍ଧକାରକୁ ହଟାଇ ଜନଜାତିର ପିଲାଙ୍କୁ ଶିକ୍ଷାର ଆଲୋକ ପ୍ରଦାନ କରି ସେ ବେଶ୍ ଚର୍ଚ୍ଚିତ ।
ଦିନେ ଏ ଅଞ୍ଚଳର କସ୍ତୁରବା ଗାନ୍ଧି ତାଲିମ କେନ୍ଦ୍ରରେ ଜଣେ ସେବିକା ଭାବରେ ଯୋଗ ଦେଇଥିବା ଶାନ୍ତନୁ ଆଦିବାସୀ ପିଲାଙ୍କ ହାତରେ ଟାଙ୍ଗିଆ ବଦଳରେ ଖଡି, କଲମ ଓ ବହି ଇତ୍ୟାଦି ଧରାଇ ସମସ୍ତଙ୍କର ପ୍ରିୟ ପାଲଟିଯାଇଛନ୍ତି । ଆଉ ନିୟମଗିରି ବାସିନ୍ଦାଙ୍କର ଉନ୍ନତୀ ପାଇଁ ସେଠାରେ ସ୍ଥାୟୀ ଭାବରେ ରହି ଅହରହ ସେମାନଙ୍କର ସେବା କରିଚାଲିଛନ୍ତି ସେ ।
ସକାଳ ହେଲେ ନିୟମଗିରି ପାହାଡ ଖୋଲରୁ ଭାସି ଆସୁଛି ରଘୁପତି ରାଘବ ରାଜାରାମ...। ପରେ ପରେ ଶୁଭେ ଅ...ଆ...ଇ ର ଡାକ । ଲାଗୁଛି ସତେ ଯେପରି ମୁର୍ଖ କାଳିଦାସଙ୍କୁ ବିଦ୍ବାନରେ ପରିଣତ କରିବା ପାଇଁ ସରସ୍ବତୀ ରୂପୀ ଧରା ଅବତରଣ କରିଛନ୍ତି ଶାନ୍ତନୁ ଅପା । ଆଦିମ ଜନଜାତି ପିଲାଙ୍କୁ ଖମ୍ବେଶୁ ଗାଁରେ ଥିବା ଗୁରୁକୂଳରେ ଶିକ୍ଷାର ନୂତନ ସୂର୍ଯ୍ୟକିରଣ ଦେଖାଉଛନ୍ତି ସେ ।
୧୯୯୮ ମସିହାରେ ଆଦିମଜନଜାତି ଡଙ୍ଗରିଆ କନ୍ଧଙ୍କ ସେବା କରିବା ପାଇଁ ଖମ୍ବେଶୁରେ ଥିବା କସ୍ତୁରବା ଗାନ୍ଧି ତାଲିମ କେନ୍ଦ୍ରରେ କଟକରୁ ମାଳତି ଚୈଧୁରୀଙ୍କ ପ୍ରେରଣାରେ ଶାନ୍ତନୁ ମହାପାତ୍ର ଆସି ଯୋଗଦିଅନ୍ତି ସେବିକା ଭାବରେ । ଏଭଳି ଦୁର୍ଗମ ଅଞ୍ଚଳରେ ସେତେବେଳେ କଥା କଥାକେ ଭରିରହିଥିଲା ଅନ୍ଧବିଶ୍ବାସ ।
ଫଳରେ ସେହଦିନରୁ ହିଁ ସେ ନିଷ୍ପତ୍ତି ନେଇଥିଲା, ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ନିୟମଗିରି ପାହାଡ ଉପରେ ବସବାସ କରୁଥିବା ଆଦିମ ଜନଜାତିର ପିଲାଙ୍କୁ ପାଠ ପଢାଇ ସମାଜର ମୁଖ୍ୟତ୍ସୋତକୁ ଆଣିବେ । ସେବେଠୁ ଆଜି ପର୍ଯ୍ୟନ୍ତ ସେ ଦିନଟିଏ ମଧ୍ୟ ହାରି ନାହାଁନ୍ତି କି ଥକି ପଡି ନାହାଁନ୍ତି ।
ପ୍ରଥମେ ପ୍ରଥମେ ଶାନ୍ତନୁଙ୍କୁ ଡଙ୍ଗରିଆଙ୍କ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା । କିନ୍ତୁ ପରେ ତାଙ୍କ ନିଷ୍ଠାପର ସାଧନା ଏବଂ ସେବା ମନବୃତ୍ତି ଦେଖି ଡଙ୍ଗରିଆ ମାନେ ତାଙ୍କ ପିଲାଙ୍କୁ ଆଶ୍ରମ ମୁହାଁ କରିଥିବା ଦେଖିବାକୁ ମିଳିଛି । କହିବାକୁ ଗଲେ ଜନ୍ମିତ ମା ଠାରୁ ଅଧିକ ସ୍ନେହ ଦେଇ ଡଙ୍ଗରିଆ ପିଲାଙ୍କୁ ଲାଳନ ପାଳନ କରିବା ସହ ହାତଧରି ପାଠ ପଢାଇ ଶାନ୍ତନୁ ମହାପାତ୍ରରୁ ଡଙ୍ଗରିଆଙ୍କ ଅପା ଭାବରେ ବେଶ ଖ୍ୟାତି ଅର୍ଜନ କରିପାରଛନ୍ତି ସେ ।
ତେବେ ଶାନ୍ତନୁ ମହାପାତ୍ରଙ୍କ ଏହି ପ୍ରୟାସ ନିୟମଗିରିର ଉନ୍ନତୀରେ ନିଶ୍ଚିନ୍ତ ସହାୟକ ହେବ ବୋଲି ଆଶା ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ