ରାୟଗଡ଼ା: ଜିଲ୍ଲାରେ ଶିଶୁଙ୍କୁ ନେଇ ହେବ ସେରୋସର୍ଭେ । ଛଅବର୍ଷରୁ ଉର୍ଦ୍ଧ୍ବ ଶିଶୁଙ୍କ ସମେତ ବୟସ୍କ ଶ୍ରେଣୀ ବ୍ୟକ୍ତିଙ୍କଠୁ ସଂଗ୍ରହ ହେବ ରକ୍ତ ନମୁନା । ଏଥିପାଇଁ ରାୟଗଡା ଆସୁଛନ୍ତି ୯ଜଣିଆ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଟିମ୍ ।
ଜିଲ୍ଲାରେ ପ୍ରାୟ ୧୦ ଗୋଟି କ୍ଲଷ୍ଟରରେ ଯାଞ୍ଚ ହେବ ଲୋକଙ୍କ ମହାମାରୀ ବିରୋଧୀ ରୋଗ ପ୍ରତିରୋଧକ କ୍ଷମତା । ମହାମାରୀ କୋରୋନାକୁ ପ୍ରତିରୋଧ କରିବାକୁ କେତେ ପ୍ରସ୍ତୁତ ରହିଛି ଆଣ୍ଟିବଡି ସେନେଇ ଯାଞ୍ଚ କରିବ ଆରଏମଆରସି ଟିମ ।
ତେବେ ଶିଶୁଙ୍କ ସ୍ବାସ୍ଥ୍ୟରେ ମହାମାରୀକୁ ପ୍ରତିରୋଧ ନିମନ୍ତେ ଆଣ୍ଟିବଡି କିଭଳି ରହିଛି ସେନେଇ ଅଖିଳ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ପକ୍ଷରୁ ଦେଶର ୭୦ ଗୋଟି ଜିଲ୍ଲାରେ ସେରୋସର୍ଭେ ଆରମ୍ଭ ହେବ । ତେବେ ରାଜ୍ୟର ତିନିଗୋଟି ଜିଲ୍ଲା ଯଥା, ଗଞ୍ଜମ, କୋରାପୁଟ ଓ ରାୟଗଡାକୁ ICMR ସିରୋସର୍ଭେ ତାଲିକାରେ ସାମିଲ ରହିଛି । ରାଜ୍ୟ ରାଜଧାନୀ ଭୁବନେଶ୍ବର ସ୍ଥିତ ICMR ଶାଖା ଆଞ୍ଚଳିକ ମେଡିକାଲ ରିସର୍ଚ୍ଚ କେନ୍ଦ୍ର ପକ୍ଷରୁ ଉକ୍ତ ତିନୋଟି ଜିଲ୍ଲାରେ ସିରୋ ନମୁନା ସର୍ଭେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପରିପେକ୍ଷୀରେ ରାୟଗଡାରେ ମଧ୍ୟ ବୁଧବାର ଏହି ସର୍ଭେ ଟିମ ପହଞ୍ଚିଥିବା ଜଣାପଡିଛି ।
ରାୟଗଡ଼ାରୁ ରଞ୍ଜନ କୁମାର ରଥା, ଇଟିଭି ଭାରତ