ଭୁବନେଶ୍ବର/ରାୟଗଡ଼ା: ଋଷୀୟ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭ ଏବଂ ଆଣ୍ଟୋଭ ପାଭେଲଙ୍କ ରହସ୍ୟଜନକ ମୃତ୍ୟୁ ଉପରୁ ହଟୁନି ପରଦା । ଏହି 2 ଜଣ ଆତ୍ମହତ୍ୟା କରିଛନ୍ତି ନା କେହି ଏମାନଙ୍କୁ ହତ୍ୟା କରିଛି ତାହା ଏବେବି ରହସ୍ୟ ଘେରରେ ରହିଛି । ଆଜି କ୍ରାଇମବ୍ରାଞ୍ଚ ଓ ଫରେନସିକ ଲ୍ୟାବର 10 ଜଣିଆ ଟିମ ତଦନ୍ତ କରିଛନ୍ତି । ଯେଉଁଠାରେ ଏହି 2 ଜଣଙ୍କୁ ପୋଡା ଯାଇଥିଲା ସେଠାରୁ ହାଡ ପାଉଁଶ ସଂଗ୍ରହ କରିଛି ଫରେନସିକ ଟିମ୍ । ତେବେ ଘଟଣାରେ ଅନ୍ତର୍ଜାତୀୟ ଲିଙ୍କ୍ ଥିବାର ସନ୍ଦେହକୁ ବିଚାରକୁ ନେଇ ସିବିଆଇକୁ ତଦନ୍ତ ହସ୍ତାନ୍ତର କରିବା ଜରୁରୀ ବୋଲି ମତ ରଖିଛନ୍ତି ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ର ।
'ପୋଡିଦେବା ଦ୍ବାରା ନଷ୍ଟ ହୋଇଯାଇଛି ପ୍ରମାଣ'
2 ଜଣ ଋଷୀୟ ପର୍ଯ୍ୟଟକଙ୍କୁ ପୋଡା ଯାଇଥିବା ସ୍ଥାନରୁ ସଂଗ୍ରହ ହୋଇଥିବା ହାଡ ଓ ପାଉଁଶକୁ ନେଇ ଏହାର ଡିଏନ୍ଏ ଟେଷ୍ଟ ହେବ ବୋଲି ଜଣାପଡ଼ିଛି । ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ମୃତ୍ୟୁ ଉପରୁ ପରଦା ହଟିବା ଆଶା କରାଯାଉଛି । ଅନ୍ୟପଟେ ଫରେନସିକ ଏକ୍ସପର୍ଟ ମୁରଲୀଧର କୁମାର କହିଛନ୍ତି, "ମୃତଦେହକୁ ପୋଡିଦେବା ଦ୍ବାରା ସମସ୍ତ ପ୍ରମାଣ ନଷ୍ଟ ହୋଇଯାଇଛି । 2 ଜଣ ଋଷୀୟ ପର୍ଯ୍ୟଟକ ଖ୍ରୀଷ୍ଟିଆନ ହୋଇଥିବାରୁ ସେମାନଙ୍କୁ ପୋତିବା କଥା । କିନ୍ତୁ ସେମାନଙ୍କୁ ପୋଡିଦେବା ଦ୍ବାରା ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବ । କାରଣ ଜଣଙ୍କ ଭିସେରା ରିପୋର୍ଟ ଥିବାବେଳେ ଆଣ୍ଟୋଭ ପାଭେଲଙ୍କ ଭିସେରା ରିପୋର୍ଟ ନାହିଁ । ଯାହା ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ ହେବାରେ ଅସୁବିଧା ହେବ । ଏପଟେ ଭାରତରେ ଅବସ୍ଥିତ ଋଷ ଦୂତାବାସ ପକ୍ଷରୁ ସ୍ପଷ୍ଟିକରଣରେ କୁହାଯାଇଛି କି ଋଷରେ ପରମ୍ପରା ଅନୁାଯାୟୀ ମୃତଦେହକୁ ଦାହ ସହ କବର ମଧ୍ୟ ଦିଆଯାଏ ।
ରହିଛି ଅନ୍ତର୍ଜାତୀୟ ଲିଙ୍କ !
ସେପଟେ ପୂର୍ବତନ ପୋଲିସ ଡିଜି ବିପିନ ବିହାରି ମିଶ୍ର କହିଛନ୍ତି, "ଏହି ଘଟଣାରେ ଅନ୍ତର୍ଜାତୀୟ ସମ୍ପର୍କ ରହିଥିବା ଅନେକ ସନ୍ଦେହ କରୁଛନ୍ତି । ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ୟୁକ୍ରେନ ସମର୍ଥନରେ ଅଛନ୍ତି ଆମେରିକା ଏବଂ ନାଟୋ ଦେଶ ସମୂହ । ଯଦି ଏହି 2 ପର୍ଯ୍ୟଟକଙ୍କ ମୃତ୍ୟୁ ସହିତ ଅନ୍ତର୍ଜାତୀୟ ସମ୍ପର୍କ ରହିଛି, ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଦେବା କଥା ।" ଯେହେତୁ ସାଂସଦ ଆଣ୍ଟୋଭ ପାଭେଲ ଭ୍ଲାଦିମିର ପୁଟିନଙ୍କ ସମାଲୋଚକ ବୋଲି କୁହାଯାଉଛି, ଏହି ମୃତ୍ୟୁ ସହିତ ଅନ୍ତର୍ଜାତୀୟ ସମ୍ପର୍କକୁ ଏଡାଇ ଦିଆଯାଇପାରିବ ନାହିଁ । ତେଣୁ ସିବିଆଇ ପୁରା ଘଟଣାର ତଦନ୍ତ କରିବା ଆବଶ୍ୟକ ହୋଇପଡ଼ିଛି ।
ଏମିତି ଚାଲିଛି ତଦନ୍ତ
ଆଜି ସାଇ ଇଣ୍ଟରନାସନାଲ ହୋଟେଲ ପରିସରରେ ଜାଞ୍ଚ ସମୟରେ ଘଟଣାସ୍ଥଳରୁ ପାୱେଲଙ୍କ ଏକ ଚପଲ ଜବତ କରିଛି କ୍ରାଇମବ୍ରାଞ୍ଚ । ଉଭୟ ଭ୍ଲାଦିମିର ଓ ପାୱେଲ ରହୁଥିବା ରୁମକୁ ଜାଞ୍ଚ କରାଯାଇଛି । ରୁମରେ ଥିବା ଏକ କାଚ ଗ୍ଲାସରୁ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରାଯାଇଛି । ରାୟଗଡ଼ା ପୋଲିସ ସହିତ ଆଲୋଚନା କରିଛି କ୍ରାଇମବ୍ରାଞ୍ଚ । ଜେରାର ସମ୍ମୁଖିନ ହେଉଥିବା ଦୁଇ ଋଷୀୟ ପର୍ଯ୍ୟଟକଙ୍କ ବୟାନର ଭିଡିଓ ରେକର୍ଡ କରଯାଇଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
କ୍ରାଇମବ୍ରାଞ୍ଚର ଗୋଟିଏ ଟିମ ରାୟଗଡ଼ା ଯାଇ ସରଜମିନ ତଦନ୍ତ କରୁଥିବା ବେଳେ ଅନ୍ୟ ଟିମକୁ ମୁଖ୍ୟାଳୟରେ ରହି ଏପର୍ଯ୍ୟନ୍ତ ସଂଗୃହିତ ତଥ୍ୟ ଓ ପ୍ରମାଣ ଗୁଡ଼ିକୁ ଅନୁଧ୍ୟାନ କରୁଛନ୍ତି । ଏହି କ୍ରମରେ ଭ୍ଲାଦମିର ବିଦାନୋଭ ଓ ପାବେଲ ଆଣ୍ଟୋଭଙ୍କ ସହଯାତ୍ରୀ ତଥା ଋଷୀୟ ଦମ୍ପତି ପାନ ସେଙ୍କୋ ଓ ଟୁରଭୋ ଏବଂ ସେମାନଙ୍କ ଟୁର ଗାଇଡ ଜିତେନ୍ଦ୍ର ସିଂହଙ୍କୁ ନିଜ ହେଫାଜତକୁ ନେଇ ଜେରା ଜାରି ରଖିଛି କ୍ରାଇମବ୍ରାଞ୍ଚ । ଆଜି ନିଜେ କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ର ସିହ୍ନା ଏହି ଋଷୀୟ ଦମ୍ପତିଙ୍କୁ ଜେରା କରିଥିଲେ । ଏହି ଦମ୍ପତ୍ତି ଆଜି ସକାଳ ପ୍ରାୟ 11ଟା ବେଳେ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ପହଞ୍ଚିବା ପରେ ସୋମନଙ୍କୁ ଜେରା ଆରମ୍ଭ ହୋଇଯାଇଥିଲା । ଏହାରି ଭିତରରେ ଋଷୀୟ ଦମ୍ପତିଙ୍କୁ ଜେରା କରିବା ପାଇଁ ଜଣେ ଅନୁବାଦଙ୍କୁ ନିୟୋଜିତ କରିଛି କ୍ରାଇମବ୍ରାଞ୍ଚ ଟିମ । ସେପଟେ ଭ୍ଲାଦିମିର ବିଦାନୋଭ ଓ ପାୱେଲ ଆଣ୍ଟୋଭଙ୍କ ପରିବାର ଲୋକଙ୍କ ସହିତ କ୍ରାଇମବ୍ରାଞ୍ଚ ଟିମ ଯୋଗାଯୋଗ କରିବା ସହ ପୁରା ଘଟଣାକୁ ନେଇ ସେମାନଙ୍କ ସହିତ ଆଲୋଚନା ମଧ୍ୟ କରିଛି ।
ଗତ 22 ତାରିଖରେ ରାୟଗଡାର ସାଇ ଇଣ୍ଟରନ୍ୟାସନାଲ ହୋଟେଲରେ ରହୁଥିବା ଋଷୀୟ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭ ଏବଂ 24 ତାରିଖରେ ଆଣ୍ଟୋଭ ପାଭେଲଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସିଆଇବି ଏବଂ କେନ୍ଦ୍ରୀୟ ଗୁପ୍ତଚର ଏଜେନ୍ସି ଏହାର ତଦନ୍ତ କରୁଥିବା ବେଳେ କ୍ରାଇମବ୍ରାଞ୍ଚର ଟିମ ସିଆଇବି ସହିତ ଆଲୋଚନା କରି ତଦନ୍ତକୁ ଆଗକୁ ବଢାଉଛି । ତେବେ ଡିଏନଏ ରିପୋର୍ଟ ଆସିବା ପରେ କେଉଁ ପରିସ୍ଥିତିରେ ଏହି 2 ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।
ଇଟିଭି ଭାରତ, ଭୁବନେଶ୍ବର, ରାୟଗଡ଼ା