ରାୟଗଡା: ରେଳ ବିଭାଗ ତରଫରୁ ଜାରି କରାଯାଇଥିବା ୧୮୨ ଟୋଲ ଫ୍ରି ନମ୍ବରକୁ ନେଇ ରାୟଗଡା ରେଳ ଷ୍ଟେସନରେ ଯାତ୍ରୀଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିଛି ରେଳସୁରକ୍ଷା ବଳ । ରେଳ ବିଭାଗ ଅଧୀନରେ ରହିଥିବା ସ୍ଥାନରେ ଓ ରେଳ ମଧ୍ୟରେ ଯଦି ଚୋରି, ଆକ୍ରମଣ, ଅସଦାଚରଣ ଭଳି କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିଲେ ତୁରନ୍ତ ଯେକୌଣସି ମୋବାଇଲରୁ ଟୋଲ ଫ୍ରି ନମ୍ବର ୧୮୨କୁ କଲ କରିପାରିବେ ଯାତ୍ରୀ । ୧୮୨ରେ କଲ ପହଞ୍ଚିବା ମାତ୍ରେ ରେଳ ସୁରକ୍ଷାବଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ସୁରକ୍ଷା ଯୋଗେଇ ଦେବ । ଏଥିସହ ତୁରନ୍ତ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଏହି ଟୋଲ ଫ୍ରି ନମ୍ବରକୁ ନେଇ ରେଳ ଯାତ୍ରୀଙ୍କୁ ସଚେତନ କରିଛନ୍ତି ରେଳ ସୁରକ୍ଷାବଳ ।
ଆଜି ରେଳ ସୁରକ୍ଷାବଳ ନେତୃତ୍ବରେ ଏକ ଟିମ ଗଠନ କରି ଷ୍ଟେସନରେ ଅପେକ୍ଷା କରି ରହିଥିବା ଯାତ୍ରୀମାନଙ୍କୁ ଏହି ଟୋଲ ଫ୍ରି ନମ୍ବରର ଉପକାରିତା ସମ୍ପର୍କରେ ସଚେତନ କରାଯାଇଛି । ଏଥିସହ ରେଳଯାତ୍ରା ସମୟରେ ରେଳରୁ ଖସି ମୃତ୍ୟୁ ହୋଇଥିବା ହାର ବଢୁ ଥିବାରୁ କିଭଳି ଏହାକୁ ରୋକା ଯାଇପାରିବ ସେ ନେଇ ମଧ୍ୟ ଯାତ୍ରୀମାନଙ୍କୁ ଅବଗତ କରାଯାଇଛି । ମୁଖ୍ୟତଃ ରେଳସିଢି ନିକଟରେ ବସିବାକୁ ବାରଣ କରାଯାଇଛି।
ଆଜିର ଏହି ସଚେତନ କାର୍ଯ୍ୟକ୍ରମରେ ରେଳ ସୁରକ୍ଷା ବଳ ଇନ୍ସପେକ୍ଟର ଡ଼ି ଏନ ତିଳକ,ସବ୍ଇନ୍ସପେକ୍ଟର ସରୋଜ କୁମାର ବାରିକଙ୍କ ସହ ଅନ୍ୟ କନେଷ୍ଟବଳ ମାନେ ଉପସ୍ଥିତ ଥିଲେ ।
ରାୟଗଡରୁ ରଞ୍ଜନ ରଥ, ଇଟିଭି ଭାରତ