ରାୟଗଡା: ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷକ । ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ନୂଆପଡା ଗ୍ରାମର ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏହି ଶିକ୍ଷକ ହେଉଛନ୍ତି ଶିଶିର କୁମାର ସେମିଳି । ଚଢ଼ାଉ ବେଳେ ଶିକ୍ଷକଙ୍କ ଘରୁ ଅଜସ୍ର ସମ୍ପତ୍ତି ଠାବ ହୋଇଛି । ବର୍ତ୍ତମାନ ସୁଦ୍ଧା ସ୍ଥାବର ସମ୍ପତ୍ତି ଭାବେ ଦୁଇ ମହଲା ବିଶିଷ୍ଟ କୋଠା ୨ଟି, ୩ ମହଲା ବିଶିଷ୍ଠ କୋଠା ୩ଟି, ଅଜେବେଷ୍ଟ ଘର ୩୫ଟି, ମଦ ଦୋକାନକୁ ଗୋଟିଏ ଘର ଭଡା ସୂତ୍ରରେ ଦିଆଯାଇଥିବା ଜଣାପଡିଛି । ସେଗୁଡିକର ଆନୁମାନିକ ମୂଲ୍ୟ ୪ କୋଟି ୮ଲକ୍ଷ ୯୩ ହଜାର ଟଙ୍କା ହେବ ଭିଜିଲାନ୍ସ ପକ୍ଷରୁ ଆକଳନ କରାଯାଇଛି ।
ଅସ୍ଥାବର ସମ୍ପତ୍ତି ଭାବେ ଗୋଟିଏ ଇନଭା, ଗୋଟିଏ ବୋଲେରୋ, ଗୋଟିଏ ବୁଲେଟ ମଟର ସାଇକଲ ସମେତ ୪୦୮ ଗ୍ରାମ ସୁନା ଅଳଙ୍କାର, ୨୨୯ ଗ୍ରାମ ରୁପା ଅଳଙ୍କାର, ନଗଦ ୨ ଲକ୍ଷ ୮୮ହଜାର ୪ଶହ ଟଙ୍କା, ପରିବାରର ସଦସ୍ୟମାନଙ୍କ ବ୍ୟାଙ୍କ ଏକାଉଣ୍ଟରେ ୨୪ ଲକ୍ଷ ଜମା ରାଶି, ବୀମା ଆକାରରେ ପ୍ରାୟ ୩ ଲକ୍ଷ ଜମା ହୋଇଥିବା ସୂଚନା ମିଳିଛି ।
ସେହିପରି ୬୫ ଲକ୍ଷ ଟଙ୍କାର ଅନ୍ୟାନ୍ୟ ଆସବାବପତ୍ର ଠାବ ହୋଇଥିବା ସୂଚନା ମିଳିଛି । କାଶୀପୁର ବ୍ଲକ କମ୍ପର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିଶିର କୁମାର ସେମିଳି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା । ସୂଚନା ମିଳିବା ପରେ ଏକ ସ୍ବତନ୍ତ୍ର ଭିଜିଲାନ୍ସ ଟିମ୍ ଶନିବାର ଶିଶିରଙ୍କ ନୂଆପଡା ସ୍ଥିତ ଘରେ ଚଢ଼ାଉ କରିଥିଲେ । ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ କିଭଳି ସେ ଏତେ ସମ୍ପତ୍ତି ଠୁଳ କରିଛନ୍ତି ଏବଂ ମୋଟ ସମ୍ପତ୍ତି କେତେ ତାହା ସମ୍ପୂର୍ଣ୍ଣ ତଥ୍ୟ ଭିଜିଲାନ୍ସ ତରଫରୁ ସ୍ପଷ୍ଟ ହୋଇନାହିଁ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ