ରାୟଗଡା: ଆନ୍ଦୋଳନକୁ ସ୍ଥଗିତ ରଖିଲେ କଂସାରିଗୁଡାବାସୀ । ଆଦିତ୍ୟ ବିର୍ଲା ଗ୍ରୁପ ହିଣ୍ଡାଲ କୋ କମ୍ପାନୀର ପ୍ରସ୍ତାବିତ ଆଲୁମିନିୟମ ପ୍ରକଳ୍ପ ପ୍ରତିଷ୍ଠା ନେଇ ହେବାକୁ ଥିବା ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି 16 ଖଣ୍ଡ ଗ୍ରାମବାସୀ । ଗତ 2ରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ ଜମିହରା ବାସିନ୍ଦା । ରୁଫକୋଣା ଛକରେ ରାସ୍ତାରୋକ୍ ସହ ସିଙ୍ଗାରାମ୍ ଷ୍ଟେସନରେ ରେଳରୋକ୍ କରିବାକୁ ଆହ୍ବାନ ଦେଇଥିଲେ ।
ସେପଟେ, ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଉଭୟ କୋରାପୁଟ ଓ ରାୟଗଡା ଜିଲ୍ଲା ପ୍ରଶାସନ ବାରମ୍ବାର ପୃଥକ ପୃଥକ ଭାବେ ଆନ୍ଦୋଳନକାରୀଙ୍କ ସହିତ ରୁଦ୍ଧ ବୈଠକ କରିଥିଲେ । ଯାହାକୁ ନେଇ ଗତକାଲି ହେବାକୁ ଥିବା ବୈଠକକୁ ସ୍ଥଗିତ ରଖାଯାଇଛି । ଆସନ୍ତା 20 ତାରିଖ ସୁଦ୍ଧା ରାଜ୍ୟ ସରକାର ଏବଂ ଜିଲ୍ଲାପ୍ରଶାସନ କଂସାରିଗୁଡାରେ କମ୍ପାନୀ ପ୍ରତିଷ୍ଠା ନେଇ ସ୍ପଷ୍ଟ ମତ ନ ରଖିଲେ 21 ତାରିଖ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କୋରାପୁଟ - ରାୟଗଡା ଜାତୀୟ ରାଜପଥ ଅବରୋଧ ବୋଲି ବିସ୍ଥାପିତ ସଂଘ ଶୁଣାଇ ଦେଇଛନ୍ତି ।
ଏହି ପ୍ରକଳ୍ପ ଦ୍ଵାରା ଜମିହରା, ପ୍ରଭାବିତ ବିସ୍ଥାପିତ ପରିବାରର କାଶୀପୁର, ଲକ୍ଷ୍ମୀପୁର ଏବଂ ଦଶମନ୍ତପୁର ବ୍ଲକର ଶତାଧିକ ମହିଳା ପୁରୁଷ ଗତକାଲି ହାତରେ ପ୍ଲା କାର୍ଡ ଧରି ସିଙ୍ଗାରାମ ରେଳ ଷ୍ଟେସନ ନିକଟରୁ ବାହାରି ଫୁଲଜବା ଗାଁର ନିକଟରେ ନିର୍ମିତ ହିଣ୍ଡାଲ କୋର ଅସ୍ଥାୟୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ । କାର୍ଯ୍ୟାଳୟ ବାହାରେ ପ୍ରଶାସନ ପକ୍ଷରୁ ଆୟୋଜିତ ଆଲୋଚନା ବୈଠକରେ ଯୋଗ ଦେଇ ତୁରନ୍ତ ପ୍ରସ୍ତାବିତ କାରଖାନା ପ୍ରତିଷ୍ଠା ବିନା କୋଡିଙ୍ଗା ମାଳି ଖଣି ଖନନ ବନ୍ଦ କରିବା ପାଇଁ ଦାବି କରିଥିଲେ । ଉପସ୍ଥିତ ଲକ୍ଷ୍ମୀପୁର ତହସିଲଦାର ଉପେନ୍ଦ୍ର ଲୋହାର ଏବଂ କାଶୀପୁର ତହସିଲଦାର ଶରତ ଶବରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଥିଲା ।
ରାୟଗଡା କଂସାରୀଗୁଡାରେ ହିଣ୍ଡୋଲ କୋ କମ୍ପାନୀ ସ୍ଥାପନା ପାଇଁ 16 ଖଣ୍ଡ ଗ୍ରାମବାସୀ ନିଜ ଜମିବାଡି ହରାଇଥିଲେ । କାରଖାନା ଦ୍ବାରା ସ୍ଥାନୀୟ ଅଞ୍ଚଳ ବିକାଶ ହେବା ସହ କୋରାପୁଟ ଓ ରାୟଗଡାର 4 ଲୋକଙ୍କୁ ନିଯୁକ୍ତି ଦିଆଯିବ ବୋଲି କୁହାଯାଇଥିଲା । ତେଣୁ 14 ବର୍ଷ ପୂର୍ବେ କାଶୀପୁର ତହସିଲରୁ 2000ରୁ ଅଧିକ ଜମି ଅଧିଗ୍ରହଣ କରିଥିଲା ଜିଲ୍ଲାପ୍ରଶାସନ । ହେଲେ ଆଜି ପର୍ଯ୍ୟନ୍ତ ଏଠାରେ ବାସ୍ତବତାର ରୂପ ନେଇପାରିଲାନି ବକ୍ସସାଇଟ ରିଫାଇନାରୀ କାରଖାନା । ସେପଟେ କିନ୍ତୁ, କଳକାରଖାନା ନାଁ ଉକ୍ତ ଅଞ୍ଚଳରୁ ଲୁଟ ହେବାରେ ଲାଗିଛି ଖଣିଖଦାନ । ଫଳରେ ଏହାକୁ ବିରୋଧ କରିବା ସହ କମ୍ପାନୀ ପ୍ରତିଷ୍ଠା ନ କଲେ ଜମିପଟ୍ଟା ଫେରାଇବାକୁ ଦାବି କରିଛନ୍ତି ଗ୍ରାମବାସୀ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ