ରାୟଗଡା: ବିଷମକଟକ ଥାନା ଥଙ୍ଗାପଦର ଗାଁରେ ଅଘଟଣ । ବିଦ୍ୟୁତ୍ ଆଘାତରେ ଗୋଟିଏ ପରିବାରର ଦୁଇ ଜଣ ମୃତ । ମୃତକ ଦ୍ବୟ ଶ୍ବଶୂର-ବୋହୂ ହୋଇଥିବା ସୂଚନା । ବିଦ୍ୟୁତ ଆଘାତରେ 24 ବର୍ଷିୟ ବୋହୂ ସମୁତି ମାଣ୍ଡାଙ୍ଗୀ ଓ 60 ବର୍ଷୀୟ ଶ୍ବଶୂର ଧନୀ ମାଣ୍ଡାଙ୍ଗୀଙ୍କ ଯାଇଛି ଜୀବନ ।
ସକାଳୁ ଘର କବାଟ ଖୋଲିବା ସମୟରେ ଏପରି ଅଘଟଣ ଘଟିଛି । ଘରର ଲୁହା କବାଟରେ ବିଦ୍ୟୁତ ତାର ଲାଗିଯାଇଥିବାରୁ କବାଟ ଖୋଲୁଥିବା ଶ୍ବଶୂରଙ୍କୁ ପ୍ରଥମେ ଝଟକା ଲାଗିଥିଲା । ପରେ ତାଙ୍କୁ ରକ୍ଷା କରିବାକୁ ଯାଇ ବୋହୂ ବି ବିଦ୍ୟୁତ ଆଘାତ ପାଇଥିଲେ । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା ।
ଦୁଇ ମୃତଦେହକୁ ବିଷମକଟକ ହସ୍ପିଟାଲରେ ଅଣାଯାଇଛି । ସେପଟେ ପୋଲିସ ଘଟଣାର ତଦନ୍ତ କରୁଛି । ମୃତଦେହ ଦୁଇଟିକୁ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ