ରାୟଗଡା: ସାମ୍ବାଦିକ ପ୍ରବୀର କୁମାର ପ୍ରଧାନ କୋରୋନା ଆକ୍ରାନ୍ତ ହୋଇ ଗୁରୁବାର ଏକ ଘରୋଇ ମେଡିକାଲରେ ଶେଷନିଶ୍ବାସ ତ୍ୟାଗ କରିଥିଲେ । ତାଙ୍କ ବିୟୋଗରେ ସମଗ୍ର ଓଡିଶା ମିଡିଆରେ ଶୋକର ଛାୟା ଖେଳିଯାଇଥିବା ବେଳେ ତାଙ୍କ ଅମରଆତ୍ମାର ସଦଗତି ନିମନ୍ତେ ଶୁକ୍ରବାର ରାୟଗଡା ଡିଆରଡିଏ କାର୍ଯ୍ୟାଳୟ ପରିସରରେ ଜିଲ୍ଲାର ସମସ୍ତ ସାମ୍ବାଦିକ ନୀରବ ପ୍ରାର୍ଥନା କରିଛନ୍ତି ।
ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ କୋଭିଡ୍ ଯୋଦ୍ଧା ପ୍ରବୀର ପ୍ରଧାନଙ୍କ ପରିବାରଙ୍କୁ 15 ଲକ୍ଷ ଟଙ୍କା ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ରାୟଗଡା ଜିଲ୍ଲାର ସାମ୍ବାଦିକମାନେ ଦାବି କରିଛନ୍ତି । ଏନେଇ ରାୟଗଡା ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ସାମ୍ବାଦିକ ପ୍ରବୀର କୋରୋନାରେ ଆକ୍ରାନ୍ତ ଥିବାବେଳେ ଗତ କିଛି ଦିନ ତଳେ ସେ ସୁସ୍ଥ ହୋଇ ପୁନଶ୍ଚ କାର୍ଯ୍ୟରେ ଯୋଗ ଦେଇଥିଲେ । କିନ୍ତୁ ପୁଣି ଥରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଗୁରୁବାର ମୃତ୍ୟୁ ଘଟିଛି ।
ପ୍ରକାଶ ଥାଉ କି, ମାସ ତଳେ କୋରୋନାରେ ତାଙ୍କ ବାପାଙ୍କ ମଧ୍ୟ ଦେହାନ୍ତ ହୋଇଥିଲା । ଏବେ ପରିବାର ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ