ରାୟଗଡା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ଥିବା ସିଜିମାଳି ପାହାଡରୁ ବକ୍ସାଇଟ ଖଣି ଖନନ ସପକ୍ଷରେ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି । ଖଣି ଖନନକୁ ସମର୍ଥନ କରି ଗୁରୁବାର ଦିନ କାଶୀପୁରଠାରେ ଏକ ବିଶାଳ ଶୋଭାଯାତ୍ରା କରି ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଖଣି ଖନନ ସମର୍ଥକ । ତେବେ ଏହି ଶୋଭାଯାତ୍ରାରେ ପାଖାପାଖି 10ହଜାର ଲୋକେ ସାମିଲ ହୋଇଥିଲେ ।
ସିଜିମାଳିରେ ବେଦାନ୍ତର ଖଣି ଖନନକୁ ନେଇ ସମର୍ଥକ ଓ ବିପକ୍ଷ ମଧ୍ୟରେ ତୁ ତୁ ମେଁ ମେଁ ଚାଲିଥିବା ବେଳେ ଗୁରୁବାର ଦିନ କମ୍ପାନି ସମର୍ଥକମାନଙ୍କ ଦ୍ୱାରା କାଶୀପୁର ଠାରେ ଶକ୍ତି ପ୍ରଦର୍ଶନ କରାଯାଇଛି । ସିଜିମାଳି ଖଣି ଖନନକୁ ନେଇ କାଶୀପୁରରେ ଖଣି ସମର୍ଥକଙ୍କ ବିଶାଳ ଶୋଭାଯାତ୍ରା ଦେଖିବାକୁ ମିଳିଛି ।ଖଣି ଖନନ ସମର୍ଥକମାନେ ଗୁରୁବାର ଦିନ ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରି ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ତେବେ ଖଣି ଖନନ ଦ୍ୱାରା ଅଞ୍ଚଳରେ ଉନ୍ନତି ହେବାକୁ ଆଶା ରଖିଥିବା ବେଳେ ପ୍ରଥମେ କମ୍ପାନୀ ଓ ପରେ ଖଣି ଖନନ ହେଉ ବୋଲି କହିଛନ୍ତି ସପକ୍ଷବାଦୀ ।
ଏହାମଧ୍ୟ ପଢନ୍ତୁ.. ଶିଳ୍ପ ଜିଲ୍ଲାରେ ଶିଳ୍ପ ବିରୁଦ୍ଧରେ ସମାବେଶ, ସରକାରଙ୍କୁ ସମାଲୋଚନା
ବେଦାନ୍ତର ଖଣି ଖନନକୁ ସମର୍ଥନ ଜଣାଇ ଏହି ଶୋଭାଯାତ୍ରାରେ ପାଖାପାଖି 10ହଜାର ସ୍ଥାନୀୟଲୋକେ ସାମିଲ ହୋଇଥିଲେ । ଖଣି ଖନନକୁ ସମର୍ଥନ କରି କାଶୀପୁର ବ୍ଲକର ସମସ୍ତ ୨୪ ପଞ୍ଚାୟତର ଲୋକ ଏକତ୍ରିତ ହୋଇ ଖଣି ସପକ୍ଷରେ ନାରାବାଜି କରିଥିଲେ । ଖଣି ଖନନକୁ ସମର୍ଥନ କରି ସହିତ ଏହାଦ୍ବାରା ଲୋକଙ୍କ ଆର୍ଥିକ ଓ ସାମାଜିକ ବିକାଶ ଘଟିବ ବୋଲି କହିଛନ୍ତି ସମର୍ଥକ । ସିଜିମାଳି ପାହାଡ଼ରୁ ବକ୍ସାଇଟ୍ ଖନନ କରନ୍ତୁ ଓ ଅଞ୍ଚଳର ବିକାଶ କରନ୍ତୁ ବୋଲି ଗାଁ ମୁଖିଆମାନେ କହିଥିଲେ ।
କଳାହାଣ୍ଡିର ଥୁଆମୂଳ ରାମପୁର ଓ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସ୍ଥିତ ସିଜିମାଳି ଖଣିର 1549.022 ହେକ୍ଟର ଖଣିରୁ 9 ଏମ୍ଟିପିଏ ବକ୍ସାଇଟ୍ ଖନନ ପାଇଁ ଆଗାମୀ 16 ଅକ୍ଟୋବର 2023ରେ ସୁଙ୍ଗେରଠାରେ ଭାରତ ସରକାର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତଣାଳୟ ତରଫରୁ ପରିବେଶ ମଞ୍ଜୁରୀ ଜନଶୁଣାଣୀ ଆୟୋଜନ ହେବ । ତେବେ ପ୍ରଭାବିତ ଗ୍ରାମ କଣ୍ଟାମାଳ, ବଣ୍ଡେଲ, ସିରାମ୍ବାଇ ଗ୍ରାମବାସୀ ଜନଶୁଣାଣୀକୁ ବିରୋଧ କରିବାକୁ ଅଣ୍ଟା ଭିଡିଥିବା ବେଳେ ଜନଶୁଣାଣୀ ପୂର୍ବରୁ କମ୍ପାନୀ ସମର୍ଥକ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଓ ଥୁଆମୂଳ ରାମପୁର ବ୍ଲକର ହଜାର ହଜାର ସଂଖ୍ୟାରେ ସମର୍ଥକ ବାହାରିଛନ୍ତି ।
ଏହାମଧ୍ୟ ପଢନ୍ତୁ.. ପ୍ରତିଶ୍ରୁତି ଦେଇ ଭୁଲିଗଲା ବେଦାନ୍ତ, ବିକ୍ଷୋଭ ପ୍ରଦର୍ଶନ କଲେ ଶ୍ରମିକ
କାଶୀପୁର ହନୁମାନ ମନ୍ଦିର ଏବଂ ହେଲିପ୍ୟାଡ୍ ପଡ଼ିଆରୁ ପୃଥକପୃଥକ ଭାବେ ଶୋଭା ଯାତ୍ରାରେ ଆସି ପୋଲିସ ଷ୍ଟେସନରେ ପହଞ୍ଚି ଏସପି ଓ ଅତିରିକ୍ତ ତହସିଲଦାରଙ୍କୁ ସ୍ମାରକ ପତ୍ର ମାଧ୍ୟମରେ ଖଣି ଖନନକୁ ସମର୍ଥନ ଜଣେଇଛନ୍ତି । ଅପରପକ୍ଷେ ବେଦାନ୍ତ କମ୍ପାନୀର ଖଣି ଖନନ ଦ୍ୱାରା ଅଂଚଳରେ ନିଯୁକ୍ତି ସୃଷ୍ଟି ହେବାକୁ ସପକ୍ଷବାଦୀ ଆଶା ରଖିଥିବା ବେଳେ କିଛି ପଥମେ କମ୍ପାନୀ ଓ ପରେ ଖଣି ଖନନ ଉଚିତ ବୋଲି ମତ ରଖିଛନ୍ତି । ଅନ୍ୟପଟେ ସମର୍ଥକ ଦେଇଥବା ସ୍ମାରକପତ୍ର ଉପରିସ୍ଥ ଅଧିକାରୀଙ୍କୁ ପ୍ରେରଣ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ଅତିରିକ୍ତ ତହସିଲଦାର। ଏହି ସମାବେଶକୁ ନଜରରେ ରଖି ପୋଲିସ ତରଫରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ ହୋଇଥିଲା । ବିଭିନ୍ନ ସ୍ଥାନରେ ଯବାନ ମୁତୟନ ରହିଥିଲେ ଓ ସାଦା ପୋଷାକଧାରୀ ପୋଲିସ ମଧ୍ୟ ବିଭିନ୍ନ ସ୍ଥାନରେ ମୁତୟନ ରହିଥିଲେ ।
ଇଟିଭି ଭାରତ, ରାୟଗଡା