ରାୟଗଡ଼ା: ଖାଦ୍ୟା ପାଇଁ ଅସୁବିଧାର ସମ୍ମୁଖୀନ ହେବେନି ରେଳଯାତ୍ରୀ । 24 ଘଣ୍ଟାଖୋଲା ରହିବ ରେଷ୍ଟୁରାଣ୍ଟ । ଦକ୍ଷିଣ ଓଡ଼ିଶାରେ ସାଧାରଣ ଯାତ୍ରୀଙ୍କ ପାଇଁ ଲୋକାର୍ପିତ ହେଲା ସର୍ବପ୍ରଥମ ରେଳ କୋଚ ରେଷ୍ଟୁରାଣ୍ଟ । ତେବେ ଅମୃତ ଭାରତ ଷ୍ଟେସନ ଯୋଜନାରେ ରାୟଗଡ଼ା ରେଳ ଷ୍ଟେସନର ଉନ୍ନତିକରଣ କାମ ଜୋରସୋରରେ ଚାଲିଥିବା ବେଳେ ଏଠାରେ ନିର୍ମାଣ ହୋଇଥିବା ଦକ୍ଷିଣ ଓଡ଼ିଶାର ସର୍ବପ୍ରଥମ ରେଳ କୋଚ୍ ରେଷ୍ଟୁରାଣ୍ଟକୁ ଆଜି ଅନୁଷ୍ଟାନିକ ଭାବେ ଲୋକାର୍ପିତ କରାଯାଇଛି ।
ସାଧାରଣ ଯାତ୍ରୀଙ୍କ ପାଇଁ ପୁରୁଣା ଷ୍ଟେସନ ସମ୍ମୁଖରେ ଏକ ପୁରୁଣା ରେଳ କୋଚ୍କୁ ଏବେ ଅତ୍ୟାଧୁନିକ ରେଷ୍ଟୁରାଣ୍ଟ୍ର ରୂପରେଖ ଦିଆଯାଇଛି । ଏଥିପାଇଁ 326 ନମ୍ବର ଜାତୀୟ ରାଜପଥ ରାସ୍ତାକଡରେ ଥିବା ରେଳ ବିଭାଗର ଏକ ଜମିରେ ଏହି ରେଷ୍ଟୁରାଣ୍ଟ ତିଆରି ହୋଇଛି । ଏହି ରେଳ କୋଚ୍ ରେଷ୍ଟୁରାଣ୍ଟ ୨୪ଘଣ୍ଟା ଖୋଲା ରହିବ । ଯାହାଦ୍ୱାରା ଟ୍ରେନରେ ଦୂର ଯାଗାକୁ ଯାତ୍ରା କରୁଥିବା ଯାତ୍ରୀମାନେ ସବୁବେଳ ଖାଦ୍ୟପେୟର ସୁବିଧା ପାଇପାରିବେ । ଏହା ବହୁତ ଆକର୍ଷଣୀୟ ଢ଼ଙ୍ଗରେ ନିର୍ମାଣ ହୋଇଛି । ମୁଖ୍ୟତଃ ରେଳ ଡବା ଭିତରେ ରେଷ୍ଟୁରାଣ୍ଟ ସୁବିଧା ସମସ୍ତଙ୍କୁ ଆକର୍ଷିତ କରିବ । ସେହିଭଳି ଭିତରେ ଟ୍ରେନ ସିଟ୍ ଭଳି ବସି ଖାଇବା ପାଇଁ ସୁବିଧା ରହିଛି ।
ଏହା ମଧ୍ୟ ପଢ଼ନ୍ତୁ...ଖାଦ୍ୟପ୍ରିୟ ଗ୍ରାହକଙ୍କୁ ଆକର୍ଷିତ କରିବ ରେଳ କୋଚ୍ ରେଷ୍ଟୁରାଣ୍ଟ
ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଳ ଯାତ୍ରୀଙ୍କ ପାଇଁ ରେଷ୍ଟୁରାଣ୍ଟକୁ ଲୋକାର୍ପିତ କରିଥିଲେ । ରେଷ୍ଟୁରାଣ୍ଟ ଦ୍ୱାରା ରାୟଗଡ଼ା ଏବଂ ଏହାର ଆଖପାଖ ଜିଲ୍ଲା ତଥା ପଡ଼ୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟର ପର୍ଯ୍ୟଟକମାନେ ମଧ୍ୟ ରେଷ୍ଟୁରାଣ୍ଟକୁ ବୁଲିବାକୁ ଏବଂ ଖାଇବାକୁ ଆସିବେ । ଏହାଦ୍ୱାରା ରାୟଗଡ଼ା ସହରର ଆର୍ଥିକ ଅଭିବୃଦ୍ଧି ଘଟିବ ବୋଲି ମନ୍ତ୍ରୀ ସାରକା କହିଛନ୍ତି । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟସଭା ସଦସ୍ୟ ଏନ.ଭାସ୍କର ରାଓ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଏସପି ବିବେକାନନ୍ଦ ଶର୍ମା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।
ତେବେ ଏହି ରେଳ କୋଚ ରେଷ୍ଟୁରାଣ୍ଟକୁ କିର୍ତି ଗ୍ରୁପ ନାମକ ଏକ ସଂସ୍ଥା ଦାୟିତ୍ୱ ନେଇଛି । ଏହି ରେଷ୍ଟୁରାଣ୍ଟ ଯୋଗୁଁ ଆଗାମୀ ଦିନରେ ଅଞ୍ଚଳର ଲୋକ ବିଳମ୍ବିତ ରାତ୍ରିରେ ମଧ୍ୟ ଖାଦ୍ୟ ସୁବିଧା ପାଇପାରିବେ ବୋଲି ରେଷ୍ଟୁରାଣ୍ଟ କତୃପକ୍ଷ ସୂଚନା ଦେଇଛନ୍ତି । କେବଳ ସେତିକି ନୁହଁ ଏହି ରେଷ୍ଟୁରାଣ୍ଟ କାର୍ଯ୍ୟକ୍ଷମ ହେବାପରେ ଏହାକୁ ବିଭିନ୍ନ ପାର୍ଟି କିମ୍ବା ଜନ୍ମଦିନରେ ମଧ୍ୟ ଲୋକମାନେ ବୁକ୍ କରିପାରିବେ ବୋଲି କିର୍ତି ଗ୍ରୁପ ପକ୍ଷରୁ ସୂଚନା ଦିଆଯାଇଛି ।
ଇଟିଭି ଭାରତ, ରାୟଗଡ଼ା