ରାୟଗଡା: କାଶୀପୁର ବ୍ଲକ କଂସାରିଗୁଡାରେ ହିଣ୍ଡାଲକୋ ପକ୍ଷରୁ ୨ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା କାରଖାନା ପ୍ରତିଷ୍ଠା ପାଇଁ ଜନ ଶୁଣାଣି ଅନୁଷ୍ଠିତ ହୋଇଛି । ଏହି କାରଖାନା ପ୍ରତିଷ୍ଠା ପାଇଁ ସ୍ଥାନୀୟ ଲୋକଙ୍କ ସହମତି ଦେଇଛନ୍ତି । କାରଖାନା ପ୍ରତିଷ୍ଠା ସହ ଅଞ୍ଚଳର ବିକାଶ ହେଲେ ଲୋକେ କାରଖାନାକୁ ସ୍ଵାଗତ କରିବେ ବୋଲି ଆଜିର ଜନ ଶୁଣାଣିରେ ସ୍ଥାନୀୟ ଲୋକେ ସ୍ପଷ୍ଟ କରିଛନ୍ତି ।
ଲୋକଙ୍କ ଦାବି ମୁତାବକ, ସବୁପ୍ରକାର ବ୍ୟବସ୍ଥା କରାଯିବ ବୋଲି ଆଜି ପୋଡାପାଡି ପଞ୍ଚାୟତର ପୁହୁଣ୍ଡି ଗ୍ରାମରେ ଥିବା ଉତ୍କଳମଣୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଜନ ଶୁଣାଣିରେ ହିଣ୍ଡାଲକୋ କାରଖାନା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ରାଜ୍ୟ ସରକାରଙ୍କ ସହ ଖଣି ଚୁକ୍ତି ହେବାର ଗୋଟିଏ ମାସ ମଧ୍ୟରେ କଂସାରୀଗୁଡା କାରଖାନା ପ୍ରତିଷ୍ଠା ପାଇଁ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ହିଣ୍ଡାଲକୋର ବରିଷ୍ଠ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
କାଶୀପୁର ବ୍ଲକର କଂସାରିଗୁଡା ଠାରେ ହିଣ୍ଡୋଲ-କୋ କାରଖାନା କର୍ତ୍ତୃପକ୍ଷ 3 ମିଲିୟନ୍ ଟନ ଉତ୍ପାଦନ କ୍ଷମାତା ବିଶିଷ୍ଟ ରିଫାଇନାରୀ ୟୁନିଟ୍ ସହ 150 ମେଗାୱାଟ୍ ବିଶିଷ୍ଟ ନିଜସ୍ବ ପାୱାର୍ ପ୍ଲାଣ୍ଟ୍ ପ୍ରତିଷ୍ଠା କରିବ । ତେବେ ବହୁ ବାଦବିବାଦ ପରେ ଆଜି ପରିବେଶ ପ୍ରଦୂଷଣ ପାଇଁ ଶୁଣାଣି ହୋଇଥିବାବେଳେ ସ୍ଥାନୀୟ ଲୋକେ,ପ୍ରଭାବିତ ଓ ଜମିହରା ଲୋକେ କାରଖାନା ପ୍ରତିଷ୍ଠା ସପକ୍ଷରେ ଯୁକ୍ତି ବାଢିଥିବା ଦେଖିବାକୁ ମିଳିଛି।
କାରଖାନା ହେବ ହେବ ବୋଲି ଉଭୟ ରାଜ୍ୟ ସରକାର ଓ କାରଖାନା କର୍ତ୍ତୃପକ୍ଷଙ୍କ ତରଫରୁ ଦୀର୍ଘ 15 ବର୍ଷ ଧରି ପ୍ରତିଶ୍ରୁତି ଦିଆଯାଇଥିବାବେଳେ ଆଜିର ଶୁଣାଣିରେ କେବେ କାରଖାନା ଆରମ୍ଭ ହେବ ବୋଲି ପ୍ରଭାବିତମାନେ ପ୍ରଶ୍ନ କରିଥିଲେ । ଆଜି କଡା ସୁରକ୍ଷା ମଧ୍ୟରେ ପୁହୁଣ୍ଡି ଉଚ୍ଚ ବିଦ୍ୟାଳୟରେ ଜନ ଶୁଣାଣି ହୋଇଥିବାବେଳେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ,ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କର ଓ କାରଖାନା କର୍ତ୍ତୃପକ୍ଷଙ୍କ ଉପସ୍ଥିତ ଥିଲେ।
ଆଜିର ଶୁଣାଣିରେ ଉଭୟ କାରଖାନା ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମତକୁ ପ୍ରାଧାନ୍ୟ ଦିଆଯାଇଥିଲା। ଶୁଣାଣୀର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଭିଡିଓ ରେକର୍ଡିଂ କରାଯାଇଥିବାବେଳେ କେବଳ ଜଣକୁ ଛାଡିଲେ ସମସ୍ତ ପ୍ରଭାବିତ ଓ ଜମିହରା ଲୋକେ କରାଖାନା ପ୍ରତିଷ୍ଠା ସପକ୍ଷରେ ଯୁକ୍ତି ବାଢିଥିଲେ । ଜମିହରାମାନେ କାରଖାନାକୁ କେବେ ହେଲେ ବିରୋଧ କରି ନଥିବାବେଳେ କାରଖାନା ପ୍ରତିଷ୍ଠା ହେଲେ ଅଞ୍ଚଳର ବିକାଶ ହେବା ସହ ନିଯୁକ୍ତି,ଶିକ୍ଷା,ସ୍ବାସ୍ଥ୍ୟ ଓ ଗମନାଗମନର ରୂପରେଖ ବଦଳିବା ପାଇଁ ଲୋକେ ପ୍ରସ୍ତାବ ଦେଇଥିଲେ ।
ପ୍ରଭାବିତ କଂସାରୀଗୁଡା ଓ ପୋଡାପାଡି ଗ୍ରାମ ପଞ୍ଚାୟତ ସମେତ ସମସ୍ତ ପଞ୍ଚାୟତ ମୁଖ୍ୟାଳୟରେ ହାଇସ୍କୁଲ,ସ୍ବାସ୍ଥ୍ୟ କେନ୍ଦ୍ର ଓ ଅଞ୍ଚଳର ବିକାଶ ପାଇଁ କାରଖାନା କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ପ୍ରଭାବିତ ମାନେ ପ୍ରସ୍ତାବ ରଖିଥିଲେ । ତେବେ ଲୋକଙ୍କ ସମସ୍ୟାକୁ ଜନ ଶୁଣାଣଇରେ ଗୁରୁତ୍ବର ସହ ବିଚାର କରି ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ହିଣ୍ଡାଲ କୋ ସମସ୍ତ ପ୍ରକାର କାର୍ଯ୍ୟ ହାତକୁ ନେବ ବୋଲି କମ୍ପାନୀର ବରିଷ୍ଠ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ମିଶ୍ର ପ୍ରତିଶ୍ରୁତି ଦେଇଥିଲେ ।
ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟତଃ କଞ୍ଚାମାଲ୍ ଭାବେ 9.3 ମିଲିୟନ୍ ଟନ୍ ବକ୍ସାଇଟ,2.04.000 କାଉଣ୍ଟିକ୍ ସୋଡା,90.000 ଟନ୍ ଲାଇମ ଅଏଲ,1350 ଟନ୍ ସିନ୍ଥୋଟିକ୍ ଫ୍ଲୋକୁଲାଣ୍ଟ ଓ ବାର୍ଷିକ 2.13.000 ଟନ୍ କୋଇଲାର ଆବଶ୍ୟକତା ପଡୁଥିବା ବେଳେ କୋଡିଙ୍ଗାମାଳି ଖଣି ସହ ଅନ୍ୟ ଖଣିରୁ ବକ୍ସାଇଡ୍ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରାଯିବ ବୋଲି କୁହାଯାଇଛି । ତେବେ ପରିବେଶ ଶୁଣାଣୀ ବେଳେ କାରଖାନା କର୍ତ୍ତୃପକ୍ଷଙ୍କ ଏପରି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳିବା ପରେ ଦୀର୍ଘ 15 ବର୍ଷ ଧରି ଜମି ହରାଇଥିବା ଏକାଧିକ ଲୋକେ ଖୁସିରେ କାନ୍ଧି ପକାଇଥିଲେ ।
ପ୍ରକାଶ ଥାଉ କି 2003 ମସିହାରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର କଂସାରୀଗୁଡାରେ ହିଣ୍ଡାଲ-କୋ କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପରିକଳ୍ପନା କରିଥିଲେ । ଆଉ ସରକାରଙ୍କ ସହ ଏମ୍ଓୟୁ ସ୍ବାକ୍ଷର ହେବା ପରେ 2004-05 ମସିହାରେ କଂସାରୀଗୁଡାରେ କମ୍ପାନୀ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥିଲା । ଶେଷରେ କଂସାରୀଗୁଡା,ଫୁଲଜବା,କାରାପଦର,ପୁହୁଣ୍ଡି,କାଣ୍ଡିସିଲ୍ ଓ ପୋଡାପାଡି ପରି ପ୍ରାୟ 16 ଖଣ୍ଡ ଗ୍ରାମର ପ୍ରାୟ 12ଶହ ଲୋକଙ୍କ ଜମି ସହ ପାଖାପାଖି 1886.22 ଏକର ଜମିକୁ ଇଡକୋ ଜରିଆରେ ଅଧିଗ୍ରହଣ କରାଯାଇଥିଲା । ଜମିହରାଙ୍କୁ କ୍ଷତିପୂରଣ ବାବଦକୁ ଏକର ପିଛା 3,44,000 ଟଙ୍କା ପ୍ରଦାନ କରାଗଲା । ଯେଉଁଥିରେ ରାୟଗଡା ଜିଲ୍ଲାର 47.56 ଏକର ସରକାରୀ,920.21 ଏକର ବେସରକାରୀ,କୋରାପୁଟ ଜିଲ୍ଲାରୁ 478.30 ଏକର ସରକାରୀ ଓ 439.45 ଏକର ବେସରକାରୀ ଜମି ଅଧିଗ୍ରହଣ ହୋଇ ସାରିଛି ।
ତେବେ ଅଧିଗ୍ରହଣ ହୋଇଥିବା ଜମି ମଧ୍ୟରୁ 1385.39 ଏକର ରିଫାଇନେରୀ ୟୁନିଟ୍ ପ୍ରତିଷ୍ଠା ଲାଗି ହିଣ୍ଡାଲ-କୋ କୁ ଦିଆଯାଇଥିଲା । କିନ୍ତୁ ଅଧିଗ୍ରହଣର 15 ବର୍ଷ ପରେ ମଧ୍ୟ କଂସାରୀଗୁଡାରେ କାରଖାନା ପ୍ରତିଷ୍ଠା ପାଇଁ ମାଟି ମୁଠାଏ ପଡିଲାନାହିଁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଆନ୍ଦୋଳନ ସହ ପ୍ରଭାବିତ ଓ ବିସ୍ଥାପିତମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ଆଉ ଲୋକଙ୍କ ସହମତିକୁ ଅନୁଭବ କରି ରାଜ୍ୟ ସରକାର ପୁଣି ଥରେ କାରଖାନା ପ୍ରତିଷ୍ଠା ପାଇଁ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି । କଂସାରୀଗୁଡାରେ କମ୍ପାନୀ ପ୍ରତିଷ୍ଠା ହେଲେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ପ୍ରାୟ 10ହଜାରରୁ ଉର୍ଦ୍ଦ୍ବ ଲୋକେ ଉପକୃତ ହୋଇପାରିବେ ବୋଲି କୁହାଯାଇଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ