ରାୟଗଡା: ମାଓବାଦୀଙ୍କ ବିରୋଧରେ ଏକଜୁଟ ହେଉଛନ୍ତି ଲୋକେ । ପ୍ରଥମେ ମାଲକାନଗିରି ଆଉ ଏବେ ରାୟଗଡାରେ । ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକୁ ବିରୋଧ କରି ମାଲକାନଗିରିରେ ପଥରରେ ମାଓବାଦୀଙ୍କୁ ମାରିଥିବାବେଳେ, ଏବେ ନିୟମଗିରିରେ ଦେଖିବାକୁ ମିଳିଛି ନକ୍ସଲ ବିରୋଧୀ ପୋଷ୍ଟର । ବିକାଶମୂଳକ କାର୍ଯ୍ୟରେ ବାଧକ ସାଜିଥିବା ନକ୍ସଲଙ୍କୁ ଆହ୍ବାନ କରି ଡଙ୍ଗରିଆ କନ୍ଧ ବିକାଶ ମଞ୍ଚ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଥିବାବେଳେ, ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସିଲିର 5ଟି ସ୍ଥାନ ଓ ସଦର ପ୍ରାଥମିକ ବିଦ୍ୟାଳୟର ପାଚେରୀରେ ଗୋଟିଏ ପୋଷ୍ଟର ଲାଗିଛି ।
ଏହି ପୋଷ୍ଟରରେ ନିୟମଗିରି ଅଞ୍ଚଳର ଉନ୍ନତି ପାଇଁ ରାସ୍ତାଘାଟ କେବେ ନିର୍ମାଣ ହେବ । ନିୟମଗିରି ସୁରକ୍ଷା ସମିତି ନାଁରେ କେତେ ଦିନ ନୀରିହ ଡଙ୍ଗରିଆଙ୍କ ପ୍ରତି ଅତ୍ୟାଚାର ଚାଲୁ ରହିବ । ଆଉ ରାସ୍ତାକାମ ପାଇଁ ଠିକାଦାରଙ୍କ ଠାରୁ କେବେ ବନ୍ଦ ହେବ ଟଙ୍କା ନେବା, ଏପରି କି ଉନ୍ନତିମୂଳକ କାର୍ଯ୍ୟରେ ହାତ ବଢାଉଥିବା ଯୁବକଙ୍କୁ ମାଓବାଦୀଙ୍କ ନାମରେ ମୃତ୍ୟୁର ଧମକ ଦେବା କେବେ ବନ୍ଦ ହେବ ବୋଲି ଉଲ୍ଲେଖ ରହିଛି ।
ଏହା ସହ ରାସ୍ତା କାର୍ଯ୍ୟରେ ଲାଗିଥିବା ଗାଡି ମଟର ପୋଡିବା ପାଇଁ ମାଓବାଦୀଙ୍କୁ କିଏ କହିଛି । ମାଓବାଦୀଙ୍କ କାର୍ଯ୍ୟକଳାପକୁ ନେଇ କାହିଁକି ଚୁପ ବସିଛି ନିୟମଗିରି ସୁରକ୍ଷା ସମିତି । ନିୟମଗିରି ସୁରକ୍ଷାସମିତି କଣ ? ମାଓବାଦୀଙ୍କୁ ସାହାଯ୍ୟ କରୁଛନ୍ତି କି ? ଏହି ଅଞ୍ଚଳର ଉନ୍ନତି ପାଇଁ ଡଙ୍ଗରିଆ ବିକାଶ ମଞ୍ଚକୁ ସାହାଯ୍ୟ କରୁନ୍ତୁ ବୋଲି ଡଙ୍ଗରିଆ କନ୍ଧ ବିକାଶ ମଞ୍ଚ ପକ୍ଷରୁ କୁହାଯାଇଛି ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ