ରାୟଗଡା:ପିଡ଼ିଏସ ଚାଉଳ ଦେବାର ଦୁଇ ଘଣ୍ଟା ବିଳମ୍ବ ହେବାରୁ ହିତାଧିକାରୀ ଉତ୍ୟକ୍ତ ହୋଇ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା । ଏଭଳି ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକର ହାଟ ମୁନିଗୁଡା ପଞ୍ଚାୟତ କାର୍ଯ୍ୟାଳୟରେ ।
ଏହି ପଞ୍ଚୟାତରେ ଶୁକ୍ରବାର ସକାଳ ୯ଟାରେ ପିଡ଼ିଏସ ଚାଉଳ ଦେବା ପାଇଁ ସ୍ଥିର କରାଯାଇଥିବା ବେଳେ ଦିନ ୧୧ ଟାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପହଞ୍ଚି ଥିଲେ । ୩ କିଲୋମିଟର ଦୂର ଦୂରାନ୍ତରୁ ଆସିଥିବା ମହିଳା ଓ ପୁରୁଷ ହିତାଧିକାରୀ ଏହାକୁ ବିରୋଧ କରିଥିଲେ । ଫଳରେ ସେଠାରେ ପଞ୍ଚାୟତ ନିର୍ବାହୀ ଅଧିକାରୀ କିଛି ମହିଳା ହିତାଧିକାରୀଙ୍କୁ ଦୁର୍ବ୍ୟବହାର କରିଥିବାରୁ ପଞ୍ଚାୟତ କାର୍ଯ୍ୟାଳୟରେ ଦୁଇଘଣ୍ଟା କାଳ ଉତ୍ତେଜନା ଦେଖାଦେଇଥିଲା ।
ତେବେ ଏହାକୁ ବିରୋଧ କରି ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଦୀର୍ଘ ଦୁଇ ଘଣ୍ଟା ଧରି ଘେରାଉ କରି ରଖିଥିଲେ । ବ୍ଲକ ପ୍ରଶାସନର କୌଣସି ଅଧିକାରୀ ଏଠାରେ ପହଁଚି ନଥିବା ବେଳେ କିଛି ସ୍ତାନୀୟ ଲୋକେ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଆଗାମୀ ଦିନରେ ଏଭଳି ତ୍ରୁଟି ଦେଖାଦିଏ ତାହାହେଲେ ବ୍ଲକ କାର୍ଯ୍ୟାଳୟ ଘେରାଉ କରି ତାଲା ପକାଇବେ ବୋଲି ହିତାଧିକାରୀ କହିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ