ରାୟଗଡା: ବଂଶଧାରା ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ପାଇଁ ଦାବି ସହ ନେରେଡି ପ୍ରକଳ୍ପକୁ ବିରୋଧ କରି ଧାରଣାରେ ବସିଲେ ପଦ୍ମଶ୍ରୀ ଶାନ୍ତିଦେବୀ । ଦାବିକୁ ନେଇ ଅଞ୍ଚଳରେ ଏକ ମାସ ପର୍ଯ୍ୟନ୍ତ ପଦଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି । ବିଭିନ୍ନ ସମୟରେ କ୍ଷମତାରେ ରହିଥିବା ସରକାର ଆମକୁ ଏଥିପାଇଁ ଆଶା ଦେଖାଇଛନ୍ତି କିନ୍ତୁ କିଛି କରି ନାହାନ୍ତି ବୋଲି ଶାନ୍ତିଦେବୀ ଅଭିଯୋଗ କରିଛନ୍ତି ।
ଅଭିଯୋଗ ଅନୁଯାୟୀ, ବଂଶଧାରା ଜଳକୁ ନେଇ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କରି ଆନ୍ଧ୍ର ଆଗକୁ ଯାଉଥିବାବେଳେ ଓଡିଶା ସରକାର କେବେ ବି ଠୋସ୍ ପଦକ୍ଷେପ ନେଇ ନାହାନ୍ତି । ଗତ ଅର୍ଦ୍ଧ ଶତାବ୍ଦୀ ଧରି ଉପରମୁଣ୍ଡରେ ପ୍ରକଳ୍ପ ପାଇଁ ଦାବି ହୋଇ ଆସୁଛି । ଅନେକ ପ୍ରକଳ୍ପ ପାଇଁ ସର୍ଭେ ମଧ୍ୟ ସରିଛି । ବିଧାନସଭାରେ ମଧ୍ୟ ଏନେଇ ଆଲୋଚନା ହୋଇଛି । ହେଲେ ରାଜନୈତିକ ଇଛାଶକ୍ତି ଅଭାବରୁ କାର୍ଯ୍ୟକାରୀ ହୋଇ ପାରିନାହିଁ ବୋଲି ଅଭିଯୋଗ ହୋଇଛି । ଅନ୍ୟପଟେ ଲକ୍ଷ୍ୟ ପୂରଣ ହେବାଯାଏଁ ସରକାରଙ୍କ ପିଛା ଛାଡିବୁନି ବୋଲି ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିକାତ୍ମକ ଧାରଣାରେ ବସିବାଥିବା ସହରବାସୀ କହିଛନ୍ତି ।
ବଂଶଧାରା ଅବବାହିକା ସୁରକ୍ଷା ସମିତିର ଆହ୍ୱାନ କ୍ରମେ ଗତ ଏକମାସ ଧରି ନିରବ ଶୋଭାଯାତ୍ରା, ପଥପ୍ରାନ୍ତ ସଭା, ଜଳ ସତ୍ୟାଗ୍ରହ, ପଦଯାତ୍ରା ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବା ପରେ ଆଜି(ବୁଧବାର) ପଦଯାତ୍ରା ଶେଷ ହୋଇଛି । ବଂଶଧାରାର ଦୁଇ ପାଶ୍ୱରେ ଆଜିଯାଏଁ ସମ୍ପୂର୍ଣ୍ଣ ଭାବେ ଆଡିବନ୍ଧ ନଥିବାବେଳେ ନଦୀରେ ଗୋଟିଏ ବି ଜଳ ପ୍ରକଳ୍ପ ନାହିଁ । ଏଣୁ ସରକାର ଏହି ପ୍ରକଳ୍ପ କରିବା ଦିଗରେ ଖୁବଶୀଘ୍ର ନିଷ୍ପତି ନିଅନ୍ତୁ ବୋଲି ଧାରଣାରେ ସାମିଲ ହୋଇ ସମାଜସେବୀ ତଥା ପଦ୍ମଶ୍ରୀ ଶାନ୍ତିଦେବୀ କହିଛନ୍ତି । ସରକାରଙ୍କୁ ଏହି ପ୍ରସଙ୍ଗ ଆମେ ବର୍ଷସାରା ବାରମ୍ବାର ମନେ ପକାଇବୁ ବୋଲି ସେ କହିଛନ୍ତି । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଉପ ଜିଲ୍ଲାପାଳ ଏସ.ସୋନାଲ କୁମାରଙ୍କୁ ଦିଆଯାଇଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ