ରାୟଗଡା: ତେଜିଲା ବଂଶଧାରା ଜଳ ପ୍ରକଳ୍ପ ନିର୍ମାଣ ଦାବି । ବଂଶଧାରା ଉପର ମୁଣ୍ଡରେ ଜଳପ୍ରକଳ୍ପ ନିର୍ମାଣ ଦାବିରେ ରାୟଗଡା ପାଲସିଂ ଠାରୁ ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ପଦଯାତ୍ରା । ଏହି ଜଳ ପ୍ରକଳ୍ପ ନିର୍ମାଣ ଦାବି ନେଇ ଦୀର୍ଘ ଏକ ମାସ ଧରି ଚାଲିଛି ଆନ୍ଦୋଳନ । ପ୍ରତିଦିନ ଗୁଣପୁର ସହରରେ ବିଭିନ୍ନ ସଙ୍ଗଠନ ପଦଯାତ୍ରା କରି ଉପର ମୁଣ୍ଡରେ ଜଳ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଦାବି କରୁଥିବାବେଳେ ରବିବାର ପାଲସିଂ ଠାରୁ ତୃତୀୟ ପର୍ଯ୍ୟାୟ ପଦଯାତ୍ରା କରିଛି ।
ପଦଯାତ୍ରା ପାଲସିଂ ଠାରୁ ଆରମ୍ଭ ହୋଇ ଗୁଣପୁରରେ ସରିଛି । ଏଥିରେ ବଂଶଧାରା ଅବବାହିକା ସୁରକ୍ଷା ସମିତିର ସଦସ୍ୟବୃନ୍ଦଙ୍କ ସମେତ ଗୁଣୁପୁର, ଗୁଡାରି, ନାଇରା, ଡେରିଗାଁ, ଗୁମୁଡା ରାଉତଗୁଡା, ବାଇନାଗୁଡା, ପାଣିଡଙ୍ଗର ଇତ୍ଯାଦି ଗାଁରୁ ଶତାଧିକ ଲୋକ ସାମିଲ ହୋଇଥିଲେ । ପରେ ଏହି ପଦଯାତ୍ରୀ ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ମାନପତ୍ର ଗୁଣପୁର ଉପଜିଲ୍ଲାପାଳଙ୍କୁ ଦେଇଥିଲେ । ସରକାର ବଂଶଧାରା ଉପରମୁଣ୍ଡରେ ଜଳପ୍ରକଳ୍ପ ନିର୍ମାଣ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବ ଓ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ବଂଶଧାରା ସୁରକ୍ଷା ସମିତି ପକ୍ଷରୁ ଚେତାବନୀ ଦିଆଯାଇଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ