ରାୟଗଡା: ପୋଖରୀରେ ବୁଡି ଜଣେ ମାଛଚାଷୀଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ନିୟମଗିରି ପାହାଡ଼ର ଖଂବେଶି ଗ୍ରାମରେ ।
ମୃତ ବ୍ୟକ୍ତି ଜଣକ ଦାସୁରୁ ୱାଡାକା । ଖବର ନେଵାରୁ ଜଣା ପଡ଼ିଛି ଦାସୁରୁ ନିଜ ପୋଖରୀରେ ମାଛ ଚାଷ କରୁଥିଲେ । ଗତ କାଲି ସନ୍ଧ୍ୟାରେ ମାଛକୁ ଦାନା ଦେବା ପାଇଁ ପୋଖରୀ ଭିତରକୁ ଯାଇଥିଲେ କୌଣସି କାରଣରୁ ସେ ପୋଖରୀ ଭିତରେ ବୁଡି ଯାଇଥିଲେ । ପୋଖରୀ ପାଖରେ ଉପସ୍ଥିତ ଥିବା ତାଙ୍କ ପୁଅ କିଛି ସମୟ ପରେ ବାପା ପୋଖରୀ ଭିତରୁ ନ ବାହାରିବାରୁ ଗ୍ରାମବାସୀଙ୍କୁ ଏନେଇ ଜଣେଇ ଥିଲେ ।
ଗ୍ରାମବାସୀ ସେଠାରେ ପହଞ୍ଚି ଖୋଜା ଖୋଜି କରି ଦାସୁରୁଙ୍କ ଉଦ୍ଧାର କରି ବିଷମ କଟକ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ବିଷମ କଟକ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ