ଭୁବନେଶ୍ୱର: ଠିକାଦାରମାନଙ୍କୁ ପୂର୍ତ୍ତ ମନ୍ତ୍ରୀଙ୍କ ତାଗିଦ । ସମୟ ମଧ୍ୟରେ କାମ ନ ସାରିଲେ ନିଆଯିବ ଆକ୍ସନ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପ ଉପରେ ସମୀକ୍ଷା କରିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ପୂର୍ତ୍ତ ବିଭାଗର ସମୀକ୍ଷା:
ପୂର୍ତ୍ତ ବିଭାଗର ବିଭିନ୍ନ ପ୍ରକଳ୍ପ ଉପରେ ସମୀକ୍ଷା କରିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ 4ଟି ମେଗା ରାସ୍ତା ପ୍ରକଳ୍ପ, 3ଟି ସେତୁ ପ୍ରକଳ୍ପ ଏବଂ 5ଟି ଭିତ୍ତିଭୂମି ପ୍ରକଳ୍ପର ବିଭାଗୀୟ ଅଧିକାରୀ ଏବଂ ଏଜେନ୍ସିଙ୍କ ଉପସ୍ଥିତିରେ ସମୀକ୍ଷା ହୋଇଛି । ସୋନପୁର - ଡୁଙ୍ଗୁରିପାଲି, ମାର୍ଶାଘାଇ - ଜମ୍ବୁ, ବ୍ରହ୍ମପୁର ରିଙ୍ଗ ରୋଡ୍ ଓ କଟକର ଖାନନଗରଠାରୁ ଲିଙ୍କ ରୋଡ୍ ପର୍ଯ୍ୟନ୍ତ ରିଙ୍ଗ ରୋଡର 6 ଲେନିଂ ରାସ୍ତା ପ୍ରକଳ୍ପର ସମୀକ୍ଷା ହେଇଛି ।
ମୋବାଇଲ ଲାବ୍ରୋଟାରୀ ଇନ୍ସପେକ୍ସନ ୟୁନିଟରେ କ୍ୱାଲିଟି ଚେକିଂ:
ପୂର୍ତ୍ତ ବିଭାଗ ପ୍ରକଳ୍ପ ଗୁଡିକର କ୍ୱାଲିଟି ଚେକିଂ ପାଇଁ ଆସିଲା ମୋବାଇଲ ଲାବ୍ରୋଟାରୀ ଇନପେକ୍ସନ ୟୁନିଟ । ମୋବାଇଲ ୟୁନିଟ ଭେଇକିଲକୁ ପତାକା ଦେଖାଇ ଶୁଭରମ୍ଭ କରିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଏଣିକି ରୋଡ଼, ବିଲଡିଂ କିମ୍ଭା କଂକ୍ରିଟ ରାସ୍ତାର କ୍ୱାଲିଟି ଚେକ ପାଇଁ ଆଉ ଅଧିକ ସମୟ ଅପଚୟ ହେବ ନାହିଁ । ଏହି ମୋବାଇଲ ୟୁନିଟରେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଅଟୋମେଟିକ ଏବଂ ଡିଜିଟାଲ କଂକ୍ରିଟ ଟେଷ୍ଟ ହାମର, ନନ ନ୍ୟୁକ୍ଲିୟର ସଏଲ ଡେନ୍ସିଟି ଗଜ, ଡିଜିଟାଲ ରୋଡ୍ ମାର୍କିଂ ଥିକନେସ ଗଜ ଭଳି 16 ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ସେହି ମୋବାଇଲ ଭେଇକିଲରେ ରହିଛି । ଏହି ମୋବାଇଲ ୟୁନିଟ ପିଛା 5 ବର୍ଷରେ 4 କୋଟି 26 ଲକ୍ଷ ଖର୍ଚ୍ଚ କରିବେ ସରକାର । ପାଇଲଟ ପ୍ରୋଜେକ୍ଟ ଭାବେ ଆଜି ଗୋଟିଏ ମୋବାଇଲ ଭ୍ୟାନର ଶୁଭାରମ୍ଭ ହୋଇଥିବାବେଳେ ଆଗକୁ ଏହି ୟୁନିଟର ସଂଖ୍ୟା ବଢ଼ାଯିବ ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ ।
ସମୟ ମଧ୍ୟରେ କାମ ନ ସରିଲେ ଆକ୍ସନ:
ସମୀକ୍ଷା ବୈଠକରେ ଠିକାଦାରମାନଙ୍କୁ ତାଗିଦ୍ କରି ମନ୍ତ୍ରୀ କହିଛନ୍ତି," ସମୟସୀମା ଭିତରେ କାମ ନସାରିଲେ ଠିକାଦାରଙ୍କ ଉପରେ ଆକ୍ସନ ହେବ । କ୍ୱାଲିଟିରେ ବି କୌଣସି ପ୍ରକାର କମ୍ପ୍ରମାଇଜ ହେବନାହିଁ । ସମୟ ସୀମା ସୁଦ୍ଧା କାମ ଶେଷ ନକଲେ ଦଣ୍ଡ ବିଧାନ ହେବ । ପେନାଲ୍ଟି ହେବା ସହ ଅନ୍ୟ କାର୍ଯ୍ୟାନୁଷ୍ଠାନ ନେବେ ସରକାର । ପ୍ରକଳ୍ପ କାମ ପାଇଁ ବିଭାଗ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବ ।"
ଇଟିଭି ଭାରତ, ଭୁବନେଶ୍ୱର