ରାୟଗଡ଼ା: ଗୁଣି ଗାରେଡି ସନ୍ଦେହରେ ପୁଣି ଗଡ଼ିଲା ମୁଣ୍ଡ । ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ପାଜିଲିବନ୍ଧ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗାଁରେ ଗୁଣିଗାରେଡି ସନ୍ଦେହରେ ଡାକିନେଇ ଜଣେ ୫୮ ବର୍ଷର ବୃଦ୍ଧଙ୍କୁ ନିସ୍ତୁକ ମାଡ ମାରି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହାପରେ ବୃଦ୍ଧଙ୍କ ମୃତଦେହକୁ ପୋଡି ଦିଆଯାଇଥିବା ଦେଖିବାକୁ ମିଳିଛି। ଏଭଳି ଜଘନ୍ୟ ଘଟଣା ଘଟାଇ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା ଦେଖିବାକୁ ମିଳିଛି ।
ହତ୍ୟାପରେ ପ୍ରମାଣ ନଷ୍ଟପାଇଁ ମୃତଦେହକୁ ପୋଡ଼ା ଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣା ପରେ ପାଜିଲିବନ୍ଧ ଗାଁରେ ପୁରୁଷ ଶୂନ୍ୟ ହୋଇଯାଇଛି । ଏତେବଡ ଘଟଣା ପରେ ଗାଁ ଲୋକେ ମଧ୍ୟ ଭୟରେ ନିରବ ରହିଛନ୍ତି । ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ରାମ ମୁଳି ଶୋଇଥିବା ବେଳେ 7ରୁ 8 ଜଣ ବ୍ୟକ୍ତି ତାଙ୍କୁ ଡାକି ନେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ ହତ୍ୟା କରିବା ପରେ ରାମଙ୍କ ମୃତଦେହକୁ ପୋଡ଼ି ଦେଇଛନ୍ତି ଅଭିଯୁକ୍ତ । ଏହାକୁ ନେଇ ତାଙ୍କ ପତ୍ନୀ ମାୟା ମୁଳି ପଦ୍ମପୁର ଥାନାରେ ଏତଲା ଦେଇଥିବା ବେଳେ ଏଯାଏଁ ଅଭିଯୁକ୍ତମାନଙ୍କୁ ଧରିବାରେ ବିଫଳ ରହିଛି ପୋଲିସ।
ଖବର ପାଇ ବିଳମ୍ବିତ ରାତିରେ ପଦ୍ମପୁର ପୋଲିସ ଗାଁକୁ ପହଞ୍ଚି ଥିଲେ ମଧ୍ୟ ଗାଁରେ ଜନ ଗହଳି ଦେଖି ଗାଁ ଭିତରକୁ ଯିବାକୁ ଶାହାସ କରି ନଥିଲା । ବାହାରୁ ଖବର ସଂଗ୍ରହ କରି ଫେରି ଆସିଥିଲା ପୋଲିସ । ଆଜି ସକାଳୁ ଅନୁସନ୍ଧାନୀ କୁକୁର ଓ ସାଇଣ୍ଟିଫିଟ ଦଳକୁ ସାଥିରେ ନେଇ ପୋଲିସ ଉକ୍ତ ଗାଁକୁ ପହଞ୍ଚି ଥିଲା । ଗାଁରୁ ରକ୍ତଭିଜା ମାଟି, ରକ୍ତଛିଟା ଲାଗିଥିବା କପଡା ସହ ହତ୍ୟା ସ୍ଥଳର ମାଟି, ପୋଡା ଯାଇଥିବା ପାଉଁସ, ଦରପୋଡା କାଠ ଇତ୍ୟାଦି ସହ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ରକୁ ଜବତ କରିଛି ।
ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ମିଳିଥିବା ସୂଚନା ଅନୁଯାୟୀ ମୃତ ରାମ ସହ ଗାଁ ଲୋକଙ୍କ ଭଲ ସମ୍ପର୍କ ନଥିଲା । ରାମ ଗୁଣୀ ଗାରେଡି କରୁଥିବା ନେଇ ଗାଁ ଲୋକଙ୍କ ମଧ୍ୟରେ ସନ୍ଦେହ ରହିଥିଲା । ଗାଁର ଝିଅ ବୋହୁଙ୍କ ପ୍ରତି ରାମଙ୍କ ଭଲ ନଜର ନଥିଲା ଓ ତାଙ୍କ ବ୍ୟବହାର ମଧ୍ୟ ଭଲ ନଥିଲା ବୋଲି ପୋଲିସ ଆଗରେ କେତେକ ଗାଁ ଲୋକ କହିଛନ୍ତି । ଆଉ କେତୋଟି ଘଟଣାକୁ ନେଇ ଗାଁ ଲୋକଙ୍କ ସହ ରାମର ପୁର୍ବ ଶତୃତା ରହିଥିବା ମଧ୍ୟ ପୋଲିସ ଖବର ପାଇଛି।
ପାରିପାଶ୍ବିର୍କ ପରିସ୍ଥିତିରୁ ପୁର୍ବ ଶତ୍ରୁତା ବୋଲି ପୋଲିସ ସନ୍ଦେହ କରୁଛି। ତେବେ ହତ୍ୟାକାଣ୍ଡ ପଛରେ ଗୁଣି ଗାରେଡି ବୋଲି ମୃତକଙ୍କ ପତ୍ନୀ ଅଭିଯୋଗ କରୁଥିବାରୁ ଘଟଣାଟି ଅଧିକ ରହଶ୍ୟମୟ ହୋଇଥିବା ଏସଡିପିଓ କହିଛନ୍ତି ।
ଏଥି ପୁର୍ବରୁ ମଧ୍ୟ ଗୁଣପୁର ଥାନା ଅଧିନସ୍ତ ଚିନ୍ତାଲୁଗୁଡା, ଉକୁମ୍ବାଗୁଡା, ପୁଟାସିଂ ଥାନା ଅନ୍ତର୍ଗତ କିତୁଂରେ ଏଭଳି ଗୁଣି ଗାରେଡିକୁ ନେଇ ହତ୍ୟାକାଣ୍ଡ ହୋଇଥିଲା । କିତୁଂର ଲୋମ ହର୍ଷଣକାରୀ ଘଟଣାର ବିଚାର କରି କୋର୍ଟ ୯ଜଣ ଅଭିଯୁକ୍ତଙ୍କ ବିରୋଧରେ ଫାଶୀ ଦଣ୍ଡାଦେଶ ଦେଇଥିଲେ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ