ରାୟଗଡା: ଜିଲ୍ଲାରେ ରହିଛି ଓଡିଶାର ଏକମାତ୍ର ପାମ ଅଏଲ କାରଖାନା । କ୍ଷତି ଦର୍ଶାଇ କମ୍ପାନୀ କର୍ତ୍ତୃପକ୍ଷ ଏହି କାରଖାନାକୁ ବନ୍ଦ କରିଦେଇଛନ୍ତି । ଫଳରେ ରୋଜଗାର ହରାଇଛନ୍ତି 300 ରୁ ଉର୍ଦ୍ଧ୍ବ ଶ୍ରମିକ । ଆଉ ପେଟ ପୋଷିବାକୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କେରଳ ଓ ତାମିଲନାଡ଼ୁ ମୁହାଁ ହୋଇଛନ୍ତି ।
ରାୟଗଡ଼ା ଜିଲ୍ଲାରେ ଆବଶ୍ୟକ କଞ୍ଚାମାଲ ଗଚ୍ଛିତ ଥିବାରୁ ରାୟଗଡ଼ା ବ୍ଲକ ଶେଷଖାଲ ଥାନାର ଅତଡ଼ା ଗ୍ରାମରେ ୨୦୦୭ ମସିହାରେ ଲକ୍ଷ୍ମୀ ବାଲାଜୀ ପାମ ଅଏଲ୍ କାରଖାନା ପ୍ରତିଷ୍ଠା ହୋଇଥିଲା । ୨୦୧୫ ପର୍ଯ୍ୟନ୍ତ କାରଖାନାର ଉତ୍ପାଦନ ସ୍ବାଭାବିକ ରହିଥିଲା। ଉତ୍ପାଦିତ ତେଲକୁ ରିଫାଇନେରୀ ୟୁନିଟକୁ ବିକ୍ରି କରି କଂପାନି ମଧ୍ୟ ବେଶ ଲାଭବାନ୍ ହୋଇଥିଲା। ହେଲେ କୌଣସି କାରଣ ବଶତଃ କାରଖାନାର ମାଲିକ ଆନ୍ଧ୍ରର ଅନ୍ୟ ଜଣେ ଶିଳ୍ପପତିଙ୍କୁ ଏହି କାରଖାନା ବିକ୍ରି କରିଦେଇଥିଲେ । ପରେ ପରିଚାଳନାଗତ ତ୍ରୁଟି ଯୋଗୁଁ ୨୦୧୭ ମସିହାରେ କାରଖାନା ବନ୍ଦ ହୋଇ ଯାଇଥିଲା। ସେପଟେ କାରଖାନା କିଣିଥିବା ନୂଆ ଶିଳ୍ପପତିଙ୍କର ଆନ୍ଧ୍ରରେ ଆଉ ଏକ କାରଖାନା ଥିବା ହେତୁ ସେ ଜାଣିଶୁଣି ଓଡିଶାସ୍ଥିତ କାରଖାନାକୁ ବନ୍ଦ କରିଦେଇଥିବା କାର୍ଯ୍ୟରତ ଶ୍ରମିକ ଅଭିଯୋଗ କରିଛନ୍ତି ।
କାରଖାନା ପୁଣି ଥରେ ଚଳାଇବା ପାଇଁ ଶ୍ରମିକମାନେ ଗତ ବର୍ଷ ଅତଡ଼ାରେ ରାସ୍ତାରୋକ କରିଥିଲେ। ଫଳରେ ପ୍ରଶାସନ-ଶ୍ରମ ବିଭାଗ-କଂପାନି କର୍ତ୍ତୃପକ୍ଷ ଏକ ବୈଠକ କରିଥିଲେ । କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କୁ ୬ ମାସ ଓଡ଼ିଶା ଏବଂ ୬ ମାସ ଆନ୍ଧ୍ର କାରଖାନାରେ କାମ କରିବାକୁ କହିଥିଲେ। କିନ୍ତୁ ଏହାକୁ ବିରୋଧ କରିଥିଲେ ଶ୍ରମିକ । ପରେ ଶ୍ରମିକଙ୍କ ବକେୟା ଟଙ୍କା ଦେଇ 2018 ରେ କାରଖାନାରେ ଲଗାୟାଇଥିଲା ବନ୍ଦ ନୋଟିସ । କିନ୍ତୁ ବିଡମ୍ବାନର ବିଷୟ ଯେ ଆନ୍ଧ୍ର କୃପମ କମ୍ପାନୀକୁ ରାୟଗଡାରୁ କଞ୍ଚାମାଲ ସଂଗ୍ରହ ଜାରି ରହିଛି । ପ୍ରତିଦିନ ଟନ୍ ଟନ୍ ପରିମାଣର କଞ୍ଚାମାଲ୍ ରାୟଗଡ଼ାର ଖୋସା, ସୁଲୁବା, ଅତଡ଼ା, ଚେନ୍ନାପଡ଼ମ, ମେଟିକେରେଡା, ରାମଚନ୍ଦ୍ରପୁର, ଗାଗନାପେଟା, କାଞ୍ଚିକାୱାଲସା, ବାଣପୁର, ଗାଡ଼ିଶେଷଖାଲ, ଆଚବା, ବିଲେସୁ, ଅମଲାଭଟ୍ଟାରୁ ରପ୍ତାନି ହେଉଛି। ଓଡ଼ିଶା କାରଖାନା ବନ୍ଦ ହୋଇଯିବା ପରେ କଞ୍ଚା ମାଲ ଯୋଗାଉ ଥିବା ଚାଷୀ ପୂର୍ବ ଭଳି ଲାଭ ମଧ୍ୟ ପାଉ ନାହାନ୍ତି।
ସେପଟେ ପାମ ଅଏଲ ଗଛ ଚାଷ ପାଇଁ ରାଜ୍ୟ କୃଷି ଓ ଉଦ୍ୟାନ୍ ବିଭାଗ ଚାଷୀଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଛି। କିନ୍ତୁ କାରଖାନା ଓ କଞ୍ଚାମାଲ ଥାଇ ସୁଦ୍ଧା ଓଡ଼ିଶା କାରଖାନା ବନ୍ଦ ପଡ଼ିବା ସହ ଶ୍ରମିକମାନେ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି । ଏଥିପ୍ରତି ସରକାର ଦୃଷ୍ଟି ଦେଲେ ଅନେକ ଶ୍ରମିକ କାର୍ଯ୍ୟକ୍ଷମ ହୋଇପାରନ୍ତେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ