ରାୟଗଡା: ମହାମାରୀ କୋରୋନା ସଂକ୍ରମଣ ସହ ମୁକାବିଲା ପାଇଁ ସାରା ଦେଶ ଲକଡାଉନ । ଏପରି ସ୍ଥିତିରେ ବିଭିନ୍ନ ରାଜ୍ୟର ସୀମାକୁ ମଧ୍ୟ ସିଲ କରାଯାଇଛି । ଏହି କ୍ରମରେ ଓଡିଶା-ଆନ୍ଧ୍ର ସୀମା ସିଲ ରହିଥିବା ବେଳେ ସୀମାରେ କିପରି ରହିଛି ସୁରକ୍ଷା ବ୍ୟବସ୍ଥା ଓ କ’ଣ ରହିଛି ତାଲା ବନ୍ଦର ପ୍ରଭାବ ତାହା ପଚାରି ବୁଝିଛନ୍ତି ଆମ ସମ୍ବାଦଦାତା ।
ତେବେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାୟଗଡାରେ ମଧ୍ୟ ଅନୁରୂପ ଭାବେ ଗତ ମଙ୍ଗଳବାର ମଧ୍ୟରାତ୍ରୀରୁ ସମଗ୍ର ଜିଲ୍ଲାରେ ତାଲା ବନ୍ଦ ଘୋଷଣା ହୋଇଛି । ପ୍ରଥମ ଦିନ ତାଲା ବନ୍ଦ ପ୍ରଭାବ ସହରରେ ବେଶ ଗୁରୁତର ଭାବେ ଦେଖା ଦେଇଥିଲା । କିନ୍ତୁ ଧିରେ ଧିରେ ସହରରେ ଲକଡ଼ାଉନର ପ୍ରଭାବ କମ ଥିବା ବେଳେ ଗାଁ ଗହଳିରେ ଏହାର ପ୍ରଭାବ ଜୋର ରହଛି ।
ଅପରପକ୍ଷେ ଜିଲ୍ଲାରେ 4ଟି ଅନ୍ତଃରାଜ୍ୟ ସୀମାନ୍ତ ରାସ୍ତା ସିଲ ହୋଇଥିବା କହିଛନ୍ତି ରାୟଗଡ଼ା ଏସପି ଡ଼ଃ ଶ୍ରବଣ ବିବେକ ଏମ । କେବଳ ସେତିକି ନୁହେଁ ପ୍ରତ୍ୟେକ ଥାନା ଅଞ୍ଚଳରେ ପେଟ୍ରୋଲିଂକୁ ମଧ୍ୟ ଜୋରଦାର କରାଯାଇଛି । ଏଥିସହିତ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ସମଗ୍ର ଜିଲ୍ଲାରେ ମୋଟ 9 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ବେଳେ ରାଜ୍ୟ ସୀମାରେ ସିଆରପିଏଫ, ବିଏସଫ ଏବଂ ଆଇଆରବି ଯବାନ ମୁତୟନ କରାଯାଇ ସୀମାକୁ ସିଲ କରି ଦିଆଯାଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ