ରାୟଗଡ଼ା : ପୁଣି କାଶୀପୁରରେ ଜନନୀ ଯନ୍ତ୍ରଣା । ୨କିମି କାନ୍ଧରେ ବୋହି ଗର୍ଭବତୀଙ୍କୁ ଡାକ୍ତରଖାନା ନେଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାର ଉପାନ୍ତ ଅଞ୍ଚଳ କାଶୀପୁର ବ୍ଲକ ରେଙ୍ଗା ପଞ୍ଚାୟତ ଅନ୍ତର୍ଗତ ମହୁଲକଣା ଗାଁରେ । ସର୍ବଦା ଜନନୀ ଯନ୍ତ୍ରଣାକୁ ନେଇ ଚର୍ଚ୍ଚାରେ ରହିଛି କାଶୀପୁର । ଗର୍ଭବତୀଙ୍କୁ କାନ୍ଧରେ ବୋହି ଚିକିତ୍ସା ପାଇଁ ଡାକ୍ତରଖାନା ନେଉଥିବା ଚିତ୍ର ଏବେ ଏକ ସାଧାରଣ ଘାଟଣାରେ ପରିଗଣିତ ହୋଇଯାଇଛି ।
ଏହି ଗାଁର ମୁନା ଝୋଡ଼ିଆଙ୍କ ସ୍ତ୍ରୀ କୁନ୍ତଳା ଝୋଡ଼ିଆଙ୍କୁ ସକାଳୁ ପ୍ରସବ ବେଦନା ହେବାରୁ ତାଙ୍କୁ ଖଟିଆରେ ୨କିମି ବୋହି ରଞ୍ଜୁଗୁଡା ରାସ୍ତାକୁ ଅଣାଯାଇଥିଲା । ପରେ ସେଠାରୁ ତାଙ୍କୁ ୧୦୨ ଆମ୍ବୁଲାନ୍ସରେ କାଶୀପୁର ଡାକ୍ତରଖାନାକୁ ନିଆଯାଇଛି ।
ସବୁଠାରୁ ବିଡମ୍ବନାର ବିଷୟ ୪ବର୍ଷ ତଳେ ରେଙ୍ଗା ଗାଁକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ରାସ୍ତା ଆରମ୍ଭ ହୋଇଥିଲା । ପ୍ରଶାସନର ଇଚ୍ଛାଶକ୍ତି ଅଭାବରୁ ଅଧାପନ୍ତରିଆ ହୋଇ ପଡ଼ିରହିଛି ରାସ୍ତାକାମ । ଫଳରେ ଲୋକମାନେ ଗମନାଗମନ ଭଳି ମୌଳିକ ସୁବିଧା ପାଇପାରୁନାହାଁନ୍ତି ।
ଇଟିଭି ଭାରତ, ରାୟଗଡ଼ା