ରାୟଗଡ଼ା: ଶ୍ରମ କାର୍ଡ ସଂଶୋଧନ କହି ନିରୀହ ଆଦିବାସୀଙ୍କ ଠାରୁ ଠକିନେଲେ ୫୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା । ଏବେ ଠକଙ୍କ ନଜର ଦୁର୍ଗମ ଅଞ୍ଚଳରେ ରହୁଥିବା ନିରୀହ ଆଦିବାସୀଙ୍କ ଉପରେ ରହିଛି । ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ଡୁଡୁକା ବାହାଲ ଗ୍ରାମ ପଞ୍ଚାୟତର କୁନ୍ଦୁପୁଟ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଅଜଣା ଦୁଇ ଯୁବକ କୁନ୍ଦୁପୁଟ ଗାଁକୁ ଯାଇ ସେମାନେ ଲୋକଙ୍କ ଇ-ଶ୍ରମ କାର୍ଡ ଭୁଲ ଅଛି ତାକୁ ସଂଶୋଧନ କରିଦେବୁ କହି ସେହି ଗାଁର ୮ ଜଣ ପରିବାର ଠାରୁ ଇ-ଶ୍ରମକାର୍ଡ ଓ ଆଧାର କାର୍ଡ ମାଗି ଫିଙ୍ଗର ପ୍ରିଣ୍ଟ ସ୍କାନର ସାହାଯ୍ୟରେ ଟିପ ମାଗି ନେଇଥିଲେ । ଉକ୍ତ ଦୁର୍ବୃତ୍ତମାନେ ସେଠାରୁ ଚାଲିଯିବା ପରେ ପରିବାର ଲୋକେ ନିଜ ବ୍ୟାଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଗାଏବ ହୋଇଯାଇଥିବା ଜାଣିବାକୁ ପାଇଥିଲେ ।
ଗୋଟିଏ ପଟେ ଦୁର୍ଗମ ଇଲାକା କାଶୀପୁର ବ୍ଲକରେ ଝାଡାବାନ୍ତିର କାୟା ବିସ୍ତାର କରି ଜୀବନ ଯାଉଥିବାବେଳେ, ଅନ୍ୟ ପଟେ ଶ୍ରମ କାର୍ଡ ସଂଶୋଧନ ନାଁରେ ଲୁଟ ହେଉଥିବା ଅଭିଯୋଗ ହୋଇଛି । ନିରୀହ ଆଦିବାସୀଙ୍କ ସଞ୍ଚିତ ଝାଳବୁହା ଧନ ଉପରେ ଏବେ ଠକ ଦଲାଲଙ୍କ ନଜର ପଡ଼ିଛି । ଏନେଇ ପରିବାର ପକ୍ଷରୁ ଟିକିରି ଥାନାରେ ଏତଲା ଦିଆଯାଇଛି ।
ଇଟିଭି ଭାରତ, ରାୟଗଡ଼ା