ରାୟଗଡା: କାଶୀପୁର ବ୍ଲକରେ ଥମିବାର ନାଁ ନେଉନି ଜନନୀ ଯନ୍ତ୍ରଣା । ପୁଣି ଜଣେ ପ୍ରସୂତି ଜନନୀ ଯନ୍ତ୍ରଣାର ଶିକାର ହୋଇଛନ୍ତି । ଗାଁକୁ ରାସ୍ତା ନ ଥିବାରୁ ପାହାଡିଆ ରାସ୍ତା ସହିତ ନଦୀ, ନାଳ ଡେଇଁ 4 କିମି ପର୍ଯ୍ୟନ୍ତ ଭାରରେ ବୁହା ହୋଇଥିଲେ ପ୍ରସୂତି । ଏହା ପରେ ଅଧା ବାଟରେ ଅପେକ୍ଷା କରିଥିବା ଆମ୍ବୁଲାନ୍ସ ଯୋଗେ ଟିକିରି ମେଡିକାଲରେ ଭର୍ତ୍ତି ହୋଇଥିଲେ ।
ସୂଚନାଯୋଗ୍ୟ, ଡଙ୍ଗାସିଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁନ୍ଦରୁସିଲ ଗ୍ରାମର ପରମା ମାଝିଙ୍କ ସ୍ତ୍ରୀ କଳ୍ପନୀ ମାଝିଙ୍କୁ ଶୁକ୍ରବାର ପ୍ରସବ ବେଦନା ହୋଇଥିଲା । ଗ୍ରାମବାସୀ ଏନେଇ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । କିନ୍ତୁ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ଗାଁଠୁ ୪କିମି ଦୂରରେ ଅଟକି ରହିଥିଲା । ଆମ୍ବୁଲାନ୍ସ ଡ୍ରାଇଭର ପରୀକ୍ଷିତ ନାୟକଙ୍କ ସମେତ ଗର୍ଭବତୀ କଳ୍ପନୀଙ୍କ ସ୍ୱାମୀ ଓ ଗ୍ରାମବାସୀ ମହିଳା ଜଣଙ୍କୁ ୪ କିମି ଭାରରେ ବୋହି ଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ ।
କୁନ୍ଦରୁସିଲ ଗ୍ରାମରୁ ପ୍ରାୟ ୨୫ କିମି ଦୂର ଟିକିରି ମେଡିକାଲରେ ପହଞ୍ଚିବା ପରେ କଳ୍ପନୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ହେଲେ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତେବେ କାଶୀପୁର ବ୍ଲକର ଅନେକ ଦୁର୍ଗମ ଗାଁକୁ ରାସ୍ତାଘାଟ ନଥିବାରୁ ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ଘଟୁଥିଲେ ବି ନୀରବଦ୍ରଷ୍ଟା ପ୍ରଶାସନ ।
ରାୟରଡାରୁ ରଞ୍ଜନ ରଥ, ଇଟିଭି ଭାରତ