ରାୟଗଡ଼ା: ଜିଲ୍ଲା ପୋଲିସକୁ ବଡ ସଫଳତା । ରାୟଗଡ଼ା-କଳାହାଣ୍ଡି ସୀମାନ୍ତରେ ଡିଭିଏଫ ଏବଂ ଏସଓଜି ଯବାନଙ୍କ କୁମ୍ବିଂ ଅପରେସନ ବେଳେ ଅମ୍ବାଦଳା ଥାନା ଅନ୍ତର୍ଗତ କାର୍କାମାର୍କା ଜଙ୍ଗଲରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି । ଉକ୍ତ ଅଞ୍ଚଳରେ ନକ୍ସଲ ଗତିବିଧିର ସୂଚନା ପାଇ ଯବାନଙ୍କ ପକ୍ଷରୁ କୁମ୍ବିଂ ଅପରେସନ କରାଯାଇଥିଲା । ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ଡ. ଶ୍ରବଣ ବିବେକ ଏମ୍ ସୂଚନା ଦେଇଛନ୍ତି ।
ମାଓ ଶିବିର ଖବର ପାଇଁ ଯବାନମାନେ ଡମିନେସନ କରିବା ସମୟରେ ମାଓବାଦୀମାନେ ଯବାନଙ୍କ ଉପରକୁ 3 ରାଉଣ୍ଡ ଗୁଳି ଚାଳନା କରିଥିଲେ । ଏଥିସହିତ ଜଙ୍ଗଲରେ ଯବାନଙ୍କ ସ୍ଥିତି ଦେଖି ମାଓବାଦୀ ସେଠାରୁ ଛତ୍ରଭଙ୍ଗ ଦେଇ ଖସି ଚାଲିଯାଇଥିଲେ । ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବାବେଳେ 2 କେଜି ଓଜନର ଲ୍ୟାଣ୍ଡ ମାଇନ ସହ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ୧୦ଟି ପଲିଥିନ ବ୍ୟାଗ, ୫ଟି ପାଣି ବୋତଲ, ୫ ସେଟ ପୋଷାକ, ଔଷଧ ଏବଂ ଖାଦ୍ୟ ସାମଗ୍ରୀ ରହିଛି ।
ତେବେ ଲ୍ୟାଣ୍ଡମାଇନ ରହିଥିବା ସୂଚନା ମିଳିବା ପରେ ରାୟଗଡ଼ା ସ୍ଥିତ ସିଆରପିଏଫର 4ର୍ଥ ବ୍ୟାଟେଲିୟାନ ବୋମା ନିଷ୍କ୍ରିୟକାରୀ ଦଳକୁ ସୂଚନା ଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ଟିମ୍ ପହଞ୍ଚି ଜଙ୍ଗଲରେ ଲ୍ୟାଣ୍ଡମାଇନକୁ ବିସ୍ଫୋରଣ କରିଥିଲେ । ଏସପିଙ୍କ ସୂଚନାନୁସାରେ, ଏହି ମାଓ ଶିବିର ବାଘୁନା ଡ଼ିଭିଜନ ଦ୍ବାରା ପରିଚାଳିତ ହେଉଥିବା ବେଳେ ଏଥିରେ ୧୨ରୁ ୧୫ ଜଣ ସଦସ୍ୟ ରହିଥିବା ସନ୍ଦେହ କରାଯାଉଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ