ରାୟଗଡା: ଓଡିଶା-ଆନ୍ଧ୍ର ସୀମାନ୍ତରେ ଗୁରୁବାର ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ମଦ ଧରପଗଡ ହୋଇଛି । ଚୋରା ମଦ କାରବାର ରୋକିବା ପାଇଁ ହୋଇଥିବା ଧରପଗଡରେ ବ୍ୟାପକ ପରିମାଣର ଦେଶୀ, ମହୁଲି ଓ ବିଦେଶୀ ମଦ ଜବତ ହୋଇଛି ।
ରାୟଗଡ଼ା ଜିଲ୍ଳା ଅବକାରୀ ବିଭାଗ, ଶେଷଖାଲ ଥାନା ପୋଲିସ ଓ ଆନ୍ଧ୍ର ପ୍ରଦେଶ ବିଜୟନଗରମ ଜିଲ୍ଳା ଅବକାରୀ ବିଭାଗ ମିଳିତଭାବେ ଏହି ଧରପଗଡ କରିଛିନ୍ତି । ଶେଷଖାଲ ଥାନା ଅନ୍ତର୍ଗତ ସାନ୍ଧୁବାଡି, ରେଙ୍ଗାଲପାଡୁ ଓ ଆନ୍ଧ୍ରପ୍ରଦେଶ ବିଜୟନଗରମ ଜିଲ୍ଳା କୃପମ ଥାନା ଅନ୍ତର୍ଗତ ଲାଡା ଅଞ୍ଚଳରେ ଚଢାଉ କରାଯାଇଥିଲା । ଶେଷଖାଲ ଥାନା ଅଧୀନର ସାନ୍ଧୁବାଡି ଓ ରେଙ୍ଗାଲପାଡୁ ଅଞ୍ଚଳରୁ 935 ଲିଟର ଦେଶୀ ମଦ, 14 ହଜାର 100 ଲିଟର ମହୁଲ ପୋଚ, 10 କ୍ବିଣ୍ଟାଲ୍ ମହୁଲ ଫୁଲ, ଆମୋନିଆ 200 କେଜି, ବିଦେଶୀ ମଦ 10 ପେଟି, ବିୟର 14 ପେଟି ଜବତ କରାଯାଇଛି ।
ସେହିପରି ଆନ୍ଧ୍ରପ୍ରଦେଶ ଅବକାରୀ ବିଭାଗ ଦ୍ବାରା ଲାଡା ଗ୍ରାମାଞ୍ଚଳରୁ 365 ଲିଟର ଦେଶୀ ମଦ, 1500 ଲିଟର ମହୁଲ ପୋଚ ଓ ଗୋଟିଏ ମୋଟର ସାଇକେଲକୁ ମାଜିଷ୍ଟ୍ରେଟ ତଥା ରାୟଗଡା ବ୍ଳକ ଅତିରକ୍ତ ତହସିଲଦାର ସୁନୀଲ ଖରାଙ୍କ ଉପସ୍ଥିତିରେ ଜବତ କରାଯାଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ