ରାୟଗଡ଼ା: ଜିଲ୍ଲାର ଅମ୍ବାଦଳା ଥାନା ଅନ୍ତର୍ଗତ କୁଟ୍ରୁପାଲି ଗାଁ ନିକଟ ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ଅମ୍ବାଦଳା ପୋଲିସ ।
ଗତ ୧୧ ତାରିଖ ଦିନ କୁଟ୍ରୁପାଲି-ଗଜାକୁପୁଲି ରାସ୍ତା କଡରେ ଏକ ମୃତ ଦେହ ପଡ଼ିଥିବା କିଛି ଲୋକ ଦେଖି ଥାନାକୁ ଖବର ଦେଇଥିଲେ । ପରେ ଜଣାପଡ଼ିଥିଲା ସେହି ମୃତଦେହଟି ଗଜାକୁପୁଲି ଗାଁର ବିଜୟ ପାତ୍ରଙ୍କର। ମୁନିଗୁଡ଼ା ଏସଡିପିଓଙ୍କ ନେତୃତ୍ୱରେ ପୋଲିସ, ସାଇଣ୍ଟିଫିକ ଟିମ୍ ଓ ସନ୍ଧାନି କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।
ଅମ୍ବାଦଳା ଥାନାରେ କେଶ ନମ୍ବର ୧୦୯/୨୦ ରେ ଏକ ମାମଲା ରୁଜୁ ହୋଇଥିଲା । ମୃତଦେହକୁ ବ୍ୟବଚ୍ଛେଦ ପରେ ପରିବାକୁ ହସ୍ତାନ୍ତର କରାଯାଇଥିଲା । ତେବେ ଏହା ହତ୍ୟାକାଣ୍ଡ ବୋଲି ତଦନ୍ତ ପରେ ଜଣାପଡିଛି । ସାମାନ୍ୟ ବଚସାକୁ ନେଇ ମୃତ ବିଜୟ ପାତ୍ରଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି ।
୧୦ ତାରିଖ ସନ୍ଧ୍ୟାରେ ବିଜୟ ଅମ୍ବାଦଳା ବଜାରକୁ ଯାଇ ଫେରିବା ବେଳେ ହତ୍ୟାକାରୀ ବୀରକିଶୋର ବାସାରି ଓ ବିଜୟଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ର କରି ପାଟିତୁଣ୍ଡ ହୋଇଥିଲା । ଏହା ଏତେ ଉଗ୍ରରୂପ ଧାରଣ କରିଥିଲା ଯେ, ବିଜୟଙ୍କୁ ବେକ ଚିପି ହତ୍ୟା କରିଥିବା ପୋଲିସ ଆଗରେ ସ୍ବୀକାର କରିଛି ଅଭିଯୁକ୍ତ । ଘଟଣା ସ୍ଥଳରୁ ଗୋଟିଏ ଛୁରୀ ଓ ଗାମୁଛାକୁ ପୋଲିସ ଜବତ କରି ହତ୍ୟାକାରୀ ବୀରକିଶୋରକୁ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ରାୟଗଡା ଏସପି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ