ରାୟଗଡ଼ା: ବର୍ତ୍ତମାନ ରାଜ୍ୟକୁ ଘାରିଛି ଆନ୍ଧ୍ର ଷ୍ଟ୍ରେନର ଚିନ୍ତା । ଏହି ଷ୍ଟ୍ରେନ ଦ୍ରୁତ ଗତିରେ ସଂକ୍ରମଣକୁ ବୃଦ୍ଧି କରୁଥିବାରୁ ରାଜ୍ୟ ସରକାର ରାୟଗଡ଼ା ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ଯାଞ୍ଚ ପ୍ରକ୍ରିୟା କଡାକଡି କରିଛନ୍ତି । ଆନ୍ଧ୍ର ଓ ତେଲେଙ୍ଗାନାକୁ ଲାଗି ରହିଥିବା ଜିଲ୍ଲାରେ ମଧ୍ୟ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି ।
ଆନ୍ଧ୍ର ଏବଂ ତେଲେଙ୍ଗାନାର କୋଭିଡ ନୂଆ ମାରାତ୍ମକ ଭୂତାଣୁ ଏବେ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ରାୟଗଡା ଜିଲ୍ଲା ଆନ୍ଧ୍ର ସୀମାବର୍ତ୍ତୀ ଜିଲ୍ଲା ହୋଇଥିବାରୁ ସରକାର ଏହି ଜିଲ୍ଲା ପ୍ରତି ଦୃଷ୍ଟି ଦେଇଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଜିଲ୍ଲାକୁ ପ୍ରବେଶ କରୁଥିବା ଗୁଣୁପୁର ସବ ଡିଭିଜନର 8ଟି ଏବଂ ରାୟଗଡର 5 ଟି ସୀମା ପ୍ରବେଶ ପଥ ଏବଂ ଗଳା ବାଟକୁ ମିଶାଇ ମୋଟ 13ଟି ସ୍ଥାନରେ କଟକଣା ଜୋରଦାର କରାଯାଇଛି । ଆନ୍ଧ୍ରରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯିବା ସହ ସେମାନଙ୍କର ଟୀକାକରଣ ରିପୋର୍ଟ ଯାଞ୍ଚ କରାଯାଉଛି ।
ଏହାସହିତ ଜିଲ୍ଲାକୁ ପ୍ରବେଶ କରୁଥିବା ଆନ୍ଧ୍ରବାସୀଙ୍କୁ ଅତି କମରେ 7 ଦିନ କିମ୍ବା ଆବଶ୍ୟକ ପଡ଼ିଲେ 14 କ୍ଵାରେଣ୍ଟାଇନ ବାଧ୍ୟତାମୂଳକ କରାଯାଇଛି । ଯେହେତୁ ଆନ୍ଧ୍ରର ନୂଆ ମାରାତ୍ମକ ଭୂତାଣୁ ଅଧିକ ଘାତକ ହୋଇଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ