ରାୟଗଡା: ରାୟଗଡା ସହର ମଧ୍ୟ ଦେଇ ଭାରିଯାନ ଚଳାଚଳ କରୁଥିବାରୁ ଅନେକ ସମୟରେ ଦୁର୍ଘଟଣା ଘଟି ଅନେକ ଧନଜୀବନ ହାନି ଘଟୁଛି । ଗତ ମେ' ମାସ ୧୯ ତାରିଖରେ କପିଳାସ ଛକ ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୨ ବର୍ଷୀୟ ସ୍କୁଲଛାତ୍ର ପ୍ରାଣ ହରାଇବା ପରଠାରୁ ବିଭିନ୍ନ ସଂଗଠନ ପକ୍ଷରୁ ଭାରିଯାନ ଚଳାଚଳ ଉପରେ କଟକଣା ଲଗାଇବାକୁ ଦାବି କରାଯାଇଥିଲା ।
ରିଙ୍ଗରୋଡ ନିର୍ମାଣ ହୋଇ ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ନହେବା ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ସକାଳ ୬ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଯାଇଥିଲା । ପୁଣି ହଠାତ ପ୍ରଶାସନ ଗତ ୧୦ ତାରିଖରେ ଅନୁଷ୍ଠିତ ଏକ ବୈଠକରେ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଆରଟିଓ, ଟ୍ରକ୍ ମାଲିକ ସଙ୍ଘ ସଭାପତି ତଥା ରାଜ୍ୟସଭା ସାଂସଦଙ୍କ ଉପସ୍ଥିତିରେ ସହର ମଧ୍ୟରେ ସକାଳ ୧୦ଟା ଠାରୁ ଦିନ ୧୨ଟା ଏବଂ ମଧ୍ୟାହ୍ନ ୨ଟା ଠାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଭାରିଜାନ ଚଳାଚଳକୁ କୋହଳ କରିଥିଲେ ।
ତେବେ ଏହାକୁ ବିରୋଧକରି ଯୁବ ବିକାଶ ପରିଷଦ ପକ୍ଷରୁ କପିଳାସ ଛକରେ ଧାରଣ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ହେଲେ ଆଜି (ସୋମବାର) ଟ୍ରକ୍ ମାଲିକ ସଙ୍ଘ ପକ୍ଷରୁ ଶତାଧିକ ଟ୍ରକ ମାଲିକ ଏବଂ କର୍ମଚାରୀ ପ୍ରଶାସନ ନେଇଥିବା ନିଷ୍ପତିକୁ ସମର୍ଥନ କରି ଓ ଏହାକୁ ବଳବତ୍ତର ରଖିବାକୁ ସୋମବାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଆରଟିଓଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ