ରାୟଗଡ଼ା : ଜିଲ୍ଲା କାଶୀପୁର ବ୍ଲକରେ ଆତଙ୍କ ଖେଳାଇଛି ହଇଜା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଜି କାଶୀପୁର ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅଧିକାରୀ । କାଶୀପୁର ବ୍ଲକର ୨୦ରୁ ଉର୍ଦ୍ଧ୍ବ ଗାଁରେ ହଇଜା ବ୍ୟାପିବାରେ ଲାଗିଛି । ସେପଟେ ଗୋଟିଏ ପରେ ଗୋଟିଏ ଗାଁକୁ ବ୍ୟାପୁଛି ହଇଜା । ସଚେତନତା ଅଭାବ ଯୋଗୁଁ ସ୍ଥିତି ନିୟନ୍ତ୍ରଣକୁ ଆସୁନି।
ଏଥିରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ମଧ୍ୟ ଶତାଧିକ ଆକ୍ରାନ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସଙ୍କଟାପନ୍ନ ଅବସ୍ଥାରେ ଥିବା ଆକ୍ରାନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ଏସଏଲଏନ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ତେବେ ଆଜି ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିବା ପାଇଁ ପହଞ୍ଚିଛନ୍ତି ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ କାଶୀପୁର ବ୍ଲକର ବିଭିନ୍ନ ଗାଁରେ ହଇଜାରେ ଆକ୍ରାନ୍ତ ହୋଇଥିବା ପରିବାର ଲୋକଙ୍କୁ ଭେଟି ସ୍ଥିତିର ସମୀକ୍ଷା କରିଥିଲେ । ଏଥିସହ ବିଭିନ୍ନ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଆକ୍ରାନ୍ତଙ୍କ ସହିତ ଭେଟି ସ୍ବାସ୍ଥ୍ୟ ସେବା ପଚାରି ବୁଝିଥିଲେ । ଚିକିତ୍ସା ପଦ୍ଧତି ସମ୍ପର୍କରେ ଡାକ୍ତର ସହିତ ଆଲୋଚନା କରିଥିଲା ଏହି ଟିମ୍ ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସ୍ବତନ୍ତ୍ର ଟିମ ମଧ୍ୟ ବିଭିନ୍ନ ଗାଁ ଯାଇ ହଇଜା ବ୍ୟାପିବା କାରଣ ଖୋଜିଥିଲେ । ଲୋକ ଯେଉଁ ସ୍ଥାନରେ ଜଳ ସଂଗ୍ରହ କରୁଛନ୍ତି ତାହା ମଧ୍ୟ ବୁଲି ଦେଖିଛନ୍ତି । ଏଣେ କାଶୀପୁର, ଟିକିରି, ମାଣ୍ଡିବିସି, ଉଷାପଡା ଓ ରାୟଗଡ଼ା ସ୍ବାସ୍ଥ୍ୟ କେନ୍ଦ୍ରରେ ଅନେକ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ସେହିଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଗୁରୁତର ମାନଙ୍କୁ ସ୍ବତନ୍ତ୍ର ଭାବେ ଚିକିତ୍ସା କରାଯାଉଛି । ଆଜି କାଶୀପୁର ବ୍ଲକର ଚାରିଟି ମେଡିକାଲରେ ୮୦ ଜଣ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।
କୋରାପୁଟ ଏସଏଲଏନ ମେଡିକାଲ କଲେଜକୁ ସ୍ଥାନାନ୍ତର ହୋଇଥିବା ରୋଗୀ ଅବସ୍ଥାରେ ଉନ୍ନତି ଘଟୁନାହିଁ । ମଲ୍ଲୀଝରଣ, ସୁରୁଗୁଞ୍ଜା, ଟିକିରି, ଗୋବରିଘାଟି, ଜଲାକୁରା, ଦୁଡୁକାବାହାଲ, ବଡମାରିଭଟ୍ଟା, କାକୁଡିପଦର, ରାଉତଘାଟି ଭଳି ବିଭିନ୍ନ ଗାଁ ମାନଙ୍କରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଫଳରେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଦୂଷିତ ପାଣି ବ୍ୟବହାର କରିବା ଯୋଗୁଁ ଝାଡ଼ାବାନ୍ତି ବ୍ୟାପୁଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।
ତେବେ ଘଟଣାକୁ ସ୍ବାସ୍ଥ୍ୟ ବିଭାଗ ପ୍ରଥମ ଦିନରୁ ଗୁରୁତ୍ଵ ଦେଇନଥିଲା ବୋଲି ଅଭିଯୋଗ ହୋଇଛି । ଗ୍ରାମ୍ୟ ଜଳଯୋଗାଣ ବିଭାଗ ମଧ୍ୟ ବିଶୁଦ୍ଧ ଜଳଯୋଗାଣ ପାଇଁ ଫେଲ୍ ମାରିଛି । ଏଭଳିକି ଗତ ଗୁରୁବାର ପର୍ଯ୍ୟନ୍ତ ଏନେଇ କୌଣସି ସୂଚନା ନଥିଲା ଏଥିଯୋଗୁଁ ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ୟୁନିଟ ପହଞ୍ଚି ପାରିନଥିଲା । ଫଳରେ ଏତେ ବଡ଼ ଘଟଣା ଘଟିଛି ବୋଲି ସାଂସଦ ଓ ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି ।
ଇଟିଭି ଭାରତ, ରାୟଗଡ଼ା