ରାୟଗଡା: ବଡ ଧରଣର ଗହଣା ଚୋରୀ ଘଟଣାର ପର୍ଦ୍ଦାଫାଶ କରିଛି ଗୁଣପୁର ପୁଲିସ । ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଗୋଟିଏ ପରିବାରର ବାପା ଓ ଦୁଇ ପୁଅ ବୋଲି ସୂଚନା ଦେଇଛି ପୁଲିସ । ଗତ ୨୧ ତାରିଖ ବିଳମ୍ବିତ ରାତିରେ ଆଚବା ଗାଁର କହ୍ନେଇ ସାହୁଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଘରୁ ଲୁଟ କରିଥିଲେ ଦୁର୍ବୃତ୍ତ । ଦୁର୍ବୃତ୍ତମାନେ ଘରର ତାଲାଭାଙ୍ଗି ୪୦ ଭରି ସୁନା ଗହଣା, କିଛି ରୂପା ଗହଣା ସହିତ ନଗଦ ୫ ହଜାର ଟଙ୍କା ଲୁଟି ନେଇଥିଲେ । ଘଟଣାଦିନ କହ୍ନେଇ ସାହୁ ଘରେ ଏନେଇ ଗୁଣୁପୁର ଥାନାରେ ଏତଲା ଦେଇଥିଲେ ।
ଏତଲାକୁ ଆଧାର କରି ଗୁଣୁପୁର ପୋଲିସ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ । ଆଜି ଏହି ଚୋରୀ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ପୋଲିସ ସୂଚନା ଅନୁଯାୟୀ ଆଚବା ଗ୍ରାମର ଗୋଟିଏ ପରିବାରର ବାପା ଶ୍ୟାମ ବାଉରୀ, ବଡ଼ ପୁଅ ନାରାୟଣ ବାଉରୀ ଓ ସାନ ପୁଅ ସହଦେବ ବାଉରୀ ମିଶି କହ୍ନେଇ ସାହୁଙ୍କ ଘରୁ ଚୋରୀ କରିଥିଲେ । ପୋଲିସ ସାନ ପୁଅ ସହଦେବ ବାଉରୀକୁ ଗିରଫ କରିଥିବା ବେଳେ ବଡ଼ ପୁଅ ଓ ବାପା ଫେରାର ହୋଇଯାଇଛନ୍ତି । ସମସ୍ତ ଚୋରୀ ସୁନା ଗହଣା ଉଦ୍ଧାର କରାଯାଇ କହ୍ନେଇ ସାହୁଙ୍କୁ ହସ୍ତାନ୍ତର କରାଯାଇଛି । ପାଞ୍ଚ ଦିନ ମଧ୍ୟରେ ଗୁଣୁପୁର ପୋଲିସର ଏଭଳି ସଫଳତାକୁ ପ୍ରଶଂସା କରିଛନ୍ତି ସ୍ଥାନୀୟ ବାସିନ୍ଦା ।
ଇଟିଭି ଭାରତ, ରାୟଗଡା