ରାୟଗଡା: ରାଜ୍ୟରେ ଜାରି ରହିଛି ଲଘୁଚାପଜନିତ ଲଗାଣ ବର୍ଷା । ପାଣିପାଗ ବିଭାଗ ପକ୍ଷରୁ ରାୟଗଡା ଜିଲ୍ଲା ପାଇଁ ରେଡ ଆଲର୍ଟ ଜାରି କରାଯାଇଥିବାବେଳେ ୨୪ ଘଣ୍ଟାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ରବିବାର ଗୁଣୁପୁରରେ ବଂଶଧାରା ନଦୀ ଜଳସ୍ତର ସତର୍କ ସଂକେତ ଅତିକ୍ରମ କରିଛି । ଏଠାରେ ବିପଦ ସଙ୍କେତ 84 ମିଟର, ସତର୍କ ସଂକେତ 83 ମିଟର ଥିବାବେଳେ ବର୍ତ୍ତମାନ ସୁଦ୍ଧା ବଂଶଧାରା ଜଳସ୍ତର 83.29 ମିଟରରେ ରହିଛି । ଗୁଣୁପୁରରେ ବଂଶଧାରା ଜଳସ୍ତର ସତର୍କ ସଂକେତ ଟପିଥିବାବେଳେ ଜଳସେଚନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଗତ କାଲିଠାରୁ ବଂଶଧାରା ନଦୀର ଉପରମୁଣ୍ଡ ଚନ୍ଦ୍ରପୁର, ମୁନିଗୁଡା ଏବଂ ଗୁଡ଼ାରି ଅଞ୍ଚଳରେ ଲଗାଣ ବର୍ଷା ଲାଗିରହିବା ଫଳରେ ବଂଶଧାରାର ଜଳସ୍ତର ବଢିବାରେ ଲାଗିଛି । ସେପଟେ ନାଗାବଳୀ ଏବଂ ଝଞ୍ଜାବତୀ ନଦୀରେ ମଧ୍ୟ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ଦୁଇ ନଦୀରେ ଜଳ ପତ୍ତନ ମାପିବା ନେଇ କୌଣସି ବ୍ୟବସ୍ଥା ନଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସତର୍କ ସୂଚନା ଦିଆଯାଇନଥିବାବେଳେ ଉଭୟ ନଦୀର ତଳିଆ ଅଞ୍ଚଳର ଲୋକଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସଚେତନ କରାଯାଇଛି ।
ଶନିବାର ଠାରୁ ରାୟଗଡା ଜିଲ୍ଲାର ୧୧ଟି ବ୍ଳକରେ ଲଗାଣ ବର୍ଷା ଲାଗିରହିଛି । ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ଚନ୍ଦ୍ରପୁର ବ୍ଲକରେ ସର୍ବାଧିକ 74.3 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି ଗୁଣୁପୁରରେ 46.0ମିଲି, ରାୟଗଡା ବ୍ଲକରେ 25.2 , କୋଲନରା ବ୍ଲକରେ 31.2, କଲ୍ୟାଣସିଙ୍ଗପୁର ବ୍ଲକରେ 46.4, କାଶୀପୁର ବ୍ଲକରେ 59.0 ପଦ୍ମପୁର ବ୍ଲକରେ 46.4, ଗୁଡାରି ବ୍ଲକରେ 57.0, ରମନାଗୁଡା ବ୍ଲକରେ 51.4, ବିଷମକଟକ ବ୍ଲକରେ 24.2 ଏବଂ ମୁନିଗୁଡା ବ୍ଲକରେ 45.3 ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଗୁଣୁପୁରରେ ବଂଶଧାରା ଜଳସ୍ତର ସତର୍କ ସଂକେତ ଟପିଥିବାବେଳେ ଜଳସେଚନ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଇଟିଭି ଭାରତ, ରାୟଗଡା