ରାୟଗଡା: ଗଞ୍ଜେଇ ଚାଲାଣରେ ଲିପ୍ତ ଅଛନ୍ତି ଅବକାରୀ ବିଭାଗରେ ଥିବା କର୍ମଚାରୀ ? ଜଣେ ଅବକାରୀ କନେଷ୍ଟବଳଙ୍କ ଘରୁ ଗଞ୍ଜେଇ ମିଳିବା ପରେ ଏ ପ୍ରଶ୍ନ ଏବେ ସାଧାରଣଲୋକଙ୍କ ମନରେ ଉଠୁଛି । ୪୨ କେଜି ଗଞ୍ଜେଇ ଜବତ କରିବା ସହ କନଷ୍ଟେବଳଙ୍କୁ ଗିରଫ କରିଛି ରାୟଗଡା ପୋଲିସ । ଉକ୍ତ କନଷ୍ଟେବଳ ହେଲେ ଦୀପକ ପାଣିଗ୍ରାହୀ । ରାୟଗଡ଼ା ପୋଲିସ ଦ୍ଵାରା ଜଣେ ଅବକାରୀ କନଷ୍ଟେବଳ ଘରୁ ଗଞ୍ଜେଇ ଜବତ ଏବେ ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ଦୀପକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଗିରଫ ପରେ ତାଙ୍କୁ ଚାକିରିରୁ ନିଲମ୍ବନ କରିବା ପାଇଁ ସୁପାରିସ କରିଛି ଅବକାରୀ ବିଭାଗ ।
ମିଳିଥିବା ଖବର ଅନୁସାରେ, ଅବକାରୀ କନଷ୍ଟେବଳ ଦୀପକ ନିଜର କସ୍ତୁରୀ ନଗର ସ୍ଥିତ ଘରେ ଗଞ୍ଜେଇ ରଖିଥିବା ନେଇ କୌଣସି ଏକ ସୁତ୍ରରୁ ଖବର ପାଇଥିଲା ପୋଲିସ । ଏହାପରେ ସ୍ବତନ୍ତ୍ର ସ୍କ୍ୱାର୍ଡ ସହାୟତାରେ ରାୟଗଡ଼ା ଥାନା ପୋଲିସ ତାଙ୍କର ଘରେ ଉପରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଘରୁ ଗଞ୍ଜେଇ ମିଳିବା ପରେ ତାଙ୍କୁ ଥାନାକୁ ଆଣି ପୋଲିସ ପଚରାଉଚରା କରିଥିଲା । ଗତକାଲି(ମଙ୍ଗଳବାର) ଦିନ ମାଜିଷ୍ଟ୍ରେଟ ତଥା ତହସିଲଦାର ତାପସ ରାଉତଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରିବା ବେଳେ ତାହା ୪୨.୨୪୦ କେଜି ରହିଥିବା ଜଣାପଡିଥିଲା । ପରେ ଅବକାରୀ କନଷ୍ଟେବଳ ଦୀପକକୁ ଗିରଫ କରିଥିଲା ରାୟଗଡା ପୋଲିସ । ରାୟଗଡା ଥାନା କେସ ନମ୍ବର ୮୪ରେ ଭାରତୀୟ ପିଙ୍ଗଳ କୋଡ ଧାରା 20 ( ଖ ) (ii) (ଗ) /25/29 ଏଣ୍ଡିପିଏସରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ରାୟଗଡା ଥାନା ଅଧିକାରୀ କେ କେ ବିକେ କହଁର ସୂଚନା ଦେଇଛନ୍ତି ।
ଏଥିସହ ପୋଲିସ ଠାରୁ ସୂଚନା ପାଇବା ପରେ ଅବକାରୀ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପ୍ରାଥମିକ ପଦକ୍ଷେପ ସ୍ଵରୂପ ବିଭାଗ ଦୀପକ ପାଣିଗ୍ରାହୀଙ୍କୁ ଚାକିରିରୁ ନିଲମ୍ବନ କରିବା ପାଇଁ ଜିଲ୍ଲାପାଳ ଜରିଆରେ ଅବକାରୀ କମିସନରଙ୍କୁ ସୁପାରିଶ କରାଯାଇଛି ବୋଲି ଅବକାରୀ ଅଧିକ୍ଷକ ଅଭିରାମ ବେହେରା ସୂଚନା ଦେଇଛନ୍ତି । ତେବେ ଅବକାରୀ କନଷ୍ଟେବଳଙ୍କ ଗଞ୍ଜେଇ ଚୋରା ଚାଲାଣରେ ଚେର କେତେ ଲମ୍ବା ରହିଛି ଏବଂ ଏହି ଘଟଣା ପଛରେ ଆଉ କେହି ସାମିଲ ଅଛନ୍ତି ନା ନାହିଁ ସେନେଇ ତଦନ୍ତ ଆରମ୍ଭ କରିଛି ସ୍ବତନ୍ତ୍ର ସ୍କ୍ୱାର୍ଡ । ଏପରିକି ଅବକାରୀ ଦୀପକ ପାଣିଗ୍ରାହୀଙ୍କୁ ରିମାଣ୍ଡରେ ଆଣିବାକୁ ମଧ୍ୟ ଯୋଜନା କରୁଥିବା ରାୟଗଡା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଇଟିଭି ଭାରତ, ରାୟଗଡା