ରାୟଗଡ଼ା: ସୋସିଆଲ ମିଡିଆରେ କରୋନା ଭାଇରସକୁ ନେଇ ମିଥ୍ୟା ଖବର ପ୍ରସାରଣ କରି ଯୁବକ ଗିରଫ । ସମ୍ପୃକ୍ତ ଯୁବକ ହେଲେ ସତ୍ୟନାରାୟଣ ସାମଲ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବୋଲି ଜଣାପଡିଛି । ଉକ୍ତ ଯୁବକକୁ ଅମ୍ବାଦଳା ପୋଲିସ ଗିରଫ କରିଛି । ସତ୍ୟନାରାୟଣ ଗତକାଲି ସାମାଜିକ ଗଣମାଧ୍ୟମରେ ‘ରାୟଗଡ଼ାରେ ପହଞ୍ଚିଲା କରୋନା’, ‘କାଶୀପୁରର ଜଣେ କରୋନାରେ ଆକ୍ରାନ୍ତ’, ‘କେରଳରୁ ଫେରିଥିଲା ଦାଦନ ଶ୍ରମିକ ରାୟଗଡା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି’ ଭଳି ମିଥ୍ୟା ସୂଚନା ସୋସିଆଲ ମିଡ଼ିଆରେ ଭାଇରାଲ କରି ଲୋକଙ୍କୁ ଭୟଭୀତ କରିଥିଲେ । ଯେଉଁଥି ଯୋଗୁଁ ତାଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଏସପି ସୂଚନା ଦେଇଛନ୍ତି ।
ମହାମାରୀ କୋରୋନାକୁ ନେଇ ସାରା ବିଶ୍ବ ଆତଙ୍କିତ ଥିବାବେଳେ ରାୟଗଡା ଜିଲ୍ଲାରେ ଏନେଇ ଆରମ୍ଭ ହୋଇଯାଇଛି ଗୁଜବ । କାଶୀପୁର ବ୍ଲକର ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିବା ଗୁଜବ ଜିଲ୍ଲା ପ୍ରଶାସନର ନିଦ ହଜାଇ ଦେଇଥିଲା । ଏନେଇ ରାତି ତମାମ ଖୋଳଦାଡ ପରେ ଶୁକ୍ରବାର ତୁହାକୁ ତୁହା ବୈଠକ କରି ଶେଷରେ ଗୁଜବକାରୀ ଯୁବକକୁ ଗିରଫ କରିବାରେ ସକ୍ଷମ ହୋଇଛି ଅମ୍ବାଦଳା ପୋଲିସ ।
ଏହାକୁ ନେଇ ସାମାଜିକ ଗଣମାଧ୍ୟମ ଉପରେ ପୋଲିସ ବିଭାଗକୁ ତୀକ୍ଷ୍ମ ନଜର ରକିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବା ବେଳେ ଗୁଜବ ଠାରୁ ଦୂରେଇ ରହି ସଚେତନତାକୁ ଜୋର ଦେବା ପାଇଁ ଅଣ୍ଟା ଭିଡିଛି ଜିଲ୍ଲା ପ୍ରଶାସନ । କୋରୋନାକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ସ୍ବତନ୍ତ୍ର ୱାର୍ଡ ଖୋଲା ଯାଇଥିବା ବେଳେ ଡାକ୍ତରଙ୍କ ସମେତ ୧୦ ଜଣ ସ୍ବାସ୍ଥ୍ୟକର୍ମୀଙ୍କୁ ସ୍ବତନ୍ତ୍ର ତାଲିମ୍ ଦିଆଯାଇଛି । ବିଶେଷ କରି ରାୟଗଡା ଏକ ଦାଦନ ପ୍ରବଣ ଜିଲ୍ଲା ହୋଇଥିବାରୁ ଫୋକସରେ ରହିଛନ୍ତି ଦୁର୍ଗମ ଅଞ୍ଚଳର ଆନ୍ଧ୍ର, କେରଳ ଓ ତାମିଲନାଡୁରୁ ଫେରନ୍ତା ଦାଦନ । ଏନେଇ ଜଣ ଜଣକୁ କାଉନସିଲିଂ କରାଯାଉଥିବା ସ୍ବାସ୍ଥ୍ୟ ବିଭାଗ କହିଥିବା ବେଳେ ଗୁଜବକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଚେତାବନୀ ଦେଇଛନ୍ତି ଜିଲ୍ଳାପାଳ ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ