ରାୟଗଡ଼ା: ଡିପି ମାନ୍ୟତା ଦାବିରେ ଆନ୍ଦୋଳନ କରି ଗିରଫ ହୋଇଥିବା ଗର୍ଭବତୀ ମହିଳାଙ୍କ ମୃତ୍ୟୁ । ଗତ 13 ନଭେମ୍ବର 2022ରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କୁପାଖାଲ ଅଞ୍ଚଳରେ ଡିପି ମାନ୍ୟତା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପରେ ପୋଲିସ ଆନ୍ଦୋଳନକାରୀଙ୍କୁ ଉଠାଇନେଇଥିଲା । ସେମାନଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ମଧ୍ୟ ଥିଲେ । ଗତ 10 ତାରିଖରେ ଜାମିନରେ ଆସିଥିବା ବେଳେ ଡାକ୍ତରଖାନାରେ ପ୍ରସୂତି ପରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ମହିଳାଙ୍କ ରାସ୍ତା ଉପରେ ମହିଳାଙ୍କ ମୃତଦେହ ରଖି ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ: Hockey World Cup: ଆଜିଠୁ ହକି ମହାସମର, ସ୍ପେନ ବିପକ୍ଷରେ ଭାରତର ଅଭିଯାନ ଆରମ୍ଭ
ସୂଚନା ଅନୁଯାୟୀ, କାଶୀପୁରକ ବ୍ଲକରେ ପ୍ରତିଷ୍ଠା ହୋଇଥିବା ଉତ୍କଳ ଆଲୁମିନା କାରଖାନାର ବାଫଲା ମାଳି ଖଣି ଅଞ୍ଚଳରେ ବସବାସ କରୁଥିବା ପାଇକ କୁପାଖାଲ ଗ୍ରାମବାସୀ ପ୍ରାୟ ଦୁଇ ଦଶନ୍ଧି ଧରି ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଡିପି ମାନ୍ୟତା ପ୍ରଦାନ ଦାବି କରିଆସୁଛନ୍ତି । ପୂର୍ବରୁ ମଧ୍ୟ ଅନେକ ଥର ଡିପି ମାନ୍ୟତା ଦାବି କରି ଆନ୍ଦୋଳନ କରି ଆସୁଛନ୍ତି । ସମ୍ପୂର୍ଣ୍ଣ ବାସଚ୍ୟୁତ ଓ ଜମିହରା ସରକାରଙ୍କ ଡିପି ମାନ୍ୟତା ପାଇଥିବାବେଳେ କେଉଁ କାରଣରୁ କୁପାଖାଲବାସୀଙ୍କ ଦାବି ପୂରଣ ହେଉନାହିଁ ଲୋକେ ପ୍ରଶ୍ନ କରିଥିଲେ । ଡିପି ତଥା ସମୂର୍ଣ୍ଣ ବାସଚ୍ୟୁତ ମାନ୍ୟତା ପ୍ରଦାନ ଦାବିରେ ଗତ 13 ନଭେମ୍ବର 2022ରୁ ଗତ 16 ତାରିଖ ଯାଏ 4 ଦିନ ଧରି ରାସ୍ତା ଅବରୋଧ କରିବା ସହ ଆନ୍ଦୋଳନ କରିଥିଲେ ।
ଯଥା ଶୀଘ୍ର ଏହାର ପୁନଃ ବିଚାର କରି ସେମାନଙ୍କୁ ସମ୍ପୂର୍ଣ୍ଣ ବାସଚ୍ୟୁତ ମାନ୍ୟତା ପ୍ରଦାନ ଦାବିରେ ଧାରଣା ଦେଇଥିଲେ । ଯାହା ଫଳରେ ସେହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଆଇନ ଶୃଙ୍ଖଳା ଦୃଷ୍ଟିରୁ ମାଜିଷ୍ଟ୍ରେଟ ଡ୍ୟୁଟିରେ ଥିବା କାଶୀପୁର ଅତିରିକ୍ତ ତହସିଲଦାର ଉପସ୍ଥିତରେ 15ରୁ ଊର୍ଦ୍ଧ୍ବ ପୁରୁଷ, ମହିଳାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଗିରଫଙ୍କ ମଧ୍ୟରେ କୁପାଖାଳ ଗ୍ରାମର ବୈଦନାଥ ବାଘଙ୍କ ଗର୍ଭବତୀ ସ୍ତ୍ରୀ ମୂଳାବତି ବାଘ ଥିଲେ । ଗତ 10 ତାରିଖରେ ତାଙ୍କୁ ଜାମିନ ମିଳିଥିଲା । ପ୍ରସବ ବେଦନା ହେବାରୁ ପରିବାର ଲୋକେ ତାଙ୍କୁ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: ଡିପି ମାନ୍ୟତା ଦାବି ନେଇଁ ପ୍ରଶାସନ ଓ ଗ୍ରାମବାସୀ ମୁହାଁମୁହିଁ, ବ୍ୟାପକ ପୋଲିସ ମୁତୟନ
ଏକ ପୁତ୍ର ସନ୍ତାନ ଜନ୍ମ ହେବାପରେ ସେ ଗୁରୁତର ହୋଇ ଯାଇଥିଲେ । ଏହାପରେ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଖବର ପ୍ରଚାର ପରେ ସେହି ଅଞ୍ଚଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ସେପଟେ ଉତ୍କଳ ଆଲୁମିନା କାରଖାନାକୁ ସଂଯୋଗ କରୁଥିବା କାରୋଳ ଛକ ଠାରେ ମହିଳାଙ୍କ ମୃତଦେହ ରଖି ଗ୍ରାମବାସୀ ରାସ୍ତା ରୋକ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବାରୁ ବ୍ୟାପକ ପୋଲିସ ମୁତୟନ କରାଯାଇଅଛି ।
ଇଟିଭି ଭାରତ, ରାୟଗଡ଼ା