ରାୟଗଡା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ଗତ ଦୁଇ ଦିନରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଭୟଭିତ ହୋଇପଡିଛନ୍ତି ସଭିଏଁ ।
ଗତକାଲି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ୫ ଜଣଙ୍କ ମୃତ୍ୟୁ ଘଟିଛି । କାଶୀପୁର, ଟିକିରି ସ୍ବାସ୍ଥ୍ୟ କେନ୍ଦ୍ରରେ ଅନେକ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 14 ଜଣ ଗୁରୁତର ଆକ୍ରାନ୍ତଙ୍କୁ ଭର୍ତ୍ତି କରାଯାଇଛି । ସେହିଭଳି କାଶୀପୁର, ଟିକିରି ଦୁଇଟି ସ୍ବାସ୍ଥ୍ୟ କେନ୍ଦ୍ରରେ 25 ଜଣ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।
ଜଣେ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କୋରାପୁଟ ସ୍ଥିତ ଏସଏଲଏନ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଛି । ଟିକିରି, ଗୋବରିଘାଟି, ଜଲାକୁରା, ଦୁଡୁକାବାହାଲ, ବଡମାରିଭଟ୍ଟା, କାକୁଡିପଦର, ରାଉତଘାଟି ଭଳି ବିଭିନ୍ନ ଗାଁ ମାନଙ୍କରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ବଢ଼ିଛିବାରେ ଲାଗିଛି । ଫଳରେ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ।
ତେବେ ଘଟଣା ସମ୍ପର୍କରେ ସ୍ବାସ୍ଥ୍ୟ ବିଭାଗ ନିକଟରେ ଗୁରୁବାର ପର୍ଯ୍ୟନ୍ତ କୌଣସି ସୂଚନା ନଥିଲା । ବିଳମ୍ବିତ ରାତିରେ ସୂଚନା ଦିଆଯାଇଥିଲା । ଫଳରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ ପହଞ୍ଚି ପାରି ନଥିଲା । ସେପଟେ ଏହି ଘଟଣାକୁ ଦୁର୍ଭାଗ୍ୟ କହିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା । ତାଙ୍କ କହିବା କଥା ଟିକିରି ଭଳି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ 4 ମାସ ଧରି ଡାକ୍ତର ଟିଏ ନଥିବା ବେଳେ ଆଜି ମଧ୍ୟ ଲୋକେ ଦୂଷିତ ପାଣି ପିଇ ମୃତ୍ୟୁ ମୁଖରରେ ପଡ଼ୁଛନ୍ତି ।
ଏପରିକି ଦୂଷିତ ପାଣିକୁ ପ୍ରଶାସନ ପକ୍ଷରୁ କିପରି ପରୀକ୍ଷା ନ କରି ପାଇପ ମାଧ୍ୟମରେ ଯୋଗାଇ ଦିଆଗଲା ? ସେ ନେଇ ସେ ପ୍ରଶ୍ନ କରିଛନ୍ତି । ତେବେ ଆଶା ଓ ଅଙ୍ଗନବାଡ଼ିକର୍ମୀଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ସ୍ଵତନ୍ତ୍ର ଡାକ୍ତର ଦଳକୁ କାଶୀପୁର ବ୍ଲକ ବିଭିନ୍ନ ଗାଁକୁ ପଠାଯାଇଥିବା କହିଛନ୍ତି ରାୟଗଡା ଜିଲ୍ଲାପାଳ ସ୍ଵଧାଦେବ ସିଂ ।
ଆଜି ସ୍ଵତନ୍ତ୍ର ମେଡିକାଲ ଟିମ୍ ବିଭିନ୍ନ ଗାଁ ଯାଇ ଚିକିତ୍ସା ଆରମ୍ଭ କରିବା ସହ ସେ ଅଞ୍ଚଳକୁ ଯାଇ ପାଣି ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇ ଥିବା ବେଳେ ଝାଡ଼ାବାନ୍ତିର ପ୍ରକୃତ କାରଣ ଜଣା ପଡିନଥିବା କହିଛନ୍ତି ରାୟଗଡା ଜିଲ୍ଲାପାଳ । 2008ରେ ରାୟଗଡା ଜିଲ୍ଲାରେ ଡାଇରିଆ ବ୍ୟାପୀ 100 ରୁ ଉର୍ଦ୍ଧ୍ବ ଲୋକେ ମୃତ୍ୟୁ ବରଣ କରିଥିବା ବେଳେ 2010 ମସିହାରେ କଲେରାରେ ମଧ୍ୟ ଶତାଧିକ ଲୋକ ଆଖି ବୁଜିଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ