ରାୟଗଡ଼ା: ଜିଲ୍ଲାର ଗୁଣପୁର ନିବାସୀ ଜଗନ୍ନାଥ ଭକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ନିଆରା ଭକ୍ତି । ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ନିଜ ଘରେ ପୂଜାପାଉଥିବା ତାଙ୍କର ଆରାଧ୍ୟ ଶ୍ରୀଜୀଉଙ୍କ ସ୍ନାନ ନୀତିକାନ୍ତି ଅନୁଯାୟୀ ସେ କରିଛନ୍ତି ।
ବିଶ୍ବାସେ ମିଳନ୍ତି ହରି ତର୍କେ ବହୁ ଦୂର । ଏହି ଘଟଣାକୁ ସତ୍ୟ ପ୍ରମାଣିତ କରିଛନ୍ତି ପୂର୍ଣ୍ଣଚନ୍ଦ୍ର । ଦୀର୍ଘ ବର୍ଷ ଧରି ସେ ମାରାତ୍ମକ ପକ୍ଷାଘାତ ରୋଗରେ ପୀଡିତ ରହି ବଞ୍ଚିବାର ଆଶା ଛାଡି ଦେଇଥିଲେ । ସବୁଆଡେ ତାଙ୍କ ପରିବାର ଲୋକେ ଚିକିତ୍ସା ନିମନ୍ତେ ନେଇଥିଲେ ବି କୌଣସି ଉନ୍ନତି ହୋଇପାରି ନଥିଲା । ହେଲେ ମହାପ୍ରଭୁଙ୍କ ଉପରୁ ପୂର୍ଣ୍ଣଚନ୍ଦ୍ର ଆଶା ଓ ବିଶ୍ବାସ ହରେଇ ନ ଥିଲେ ।
ତାଙ୍କ ଦୃଢ଼ ଇଚ୍ଛା ଓ ବିଶ୍ବାସ ବଳରେ ପରିବାର ଲୋକେ ତାଙ୍କୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ନେଇଥିଲେ । ସେଠାରେ ବାଇଶି ପାହାଚ ସ୍ପର୍ଶ ମାତ୍ରକେ ତାଙ୍କ ଶରୀରରୁ ପକ୍ଷାଘାତ କୁଆଡେ ଉଭେଇ ଯାଇଥିଲା । ସେହିଦିନ ଠାରୁ ପ୍ରତିବର୍ଷ ସେ ଏକ ଛୋଟ ରଥ ନିଜେ ନିର୍ମାଣ କରି ଗୁଣପୁର ବଡ଼ ଦାଣ୍ଡରେ ଗଡାଉଛନ୍ତି । ନିଜ ଘରକୁ ଶ୍ରୀ ମନ୍ଦିର କରି ଶ୍ରୀମନ୍ଦିର ପରି ନୀତିକାନ୍ତି ନିଜେ ଘରେ ପାଳନ କରୁଛନ୍ତି । ସେହି କ୍ରମରେ ଗୁରୁବାର ନିଜଘରେ ମହାପ୍ରଭୁଙ୍କ ଦିବ୍ୟ ସ୍ନାନଯାତ୍ରା ଅନୁଷ୍ଠିତ କରିଥିଲେ ସେ । ତାଙ୍କ ଭକ୍ତି ଦେଖି ଆଖପାଖ ଲୋକ କହନ୍ତି ଧନ୍ୟ ଭକ୍ତ ଆଉ ଧନ୍ୟ ସେ ଜଗନ୍ନାଥ ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ