ରାୟଗଡା: ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଉନ୍ନତମାନର ଶିକ୍ଷା ପାଇଁ 100 ଶଯ୍ୟା ବିଶିଷ୍ଟ ହଷ୍ଟେଲ ଦାୟିତ୍ବ ଏକ ଘରୋଇ ଠିକା ସଂସ୍ଥାକୁ ଦେଇଥିଲେ ସରକାର । ଦୁର୍ଗମ ଇଲାକାର ଛାତ୍ରଛାତ୍ରୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ 'ହିନ୍ଦୁସ୍ତାନ ଷ୍ଟିଲ ଆଣ୍ଡ କନଷ୍ଟ୍ରକ୍ସନ' କମ୍ପାନୀକୁ ହଷ୍ଟେଲ ନିର୍ମାଣ ଦାୟିତ୍ବ ଦିଆଯାଇଥିଲା । ଏଥିପାଇଁ ଟେଣ୍ଡର ସରିଥିବାବେଳେ 2016 ମସିହାରୁ କାର୍ଯ୍ୟାଦେଶ ମଧ୍ୟ ଦିଆଯାଇଛି । ହେଲେ ସଂପୃକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଶେଷ ହୋଇପାରିନି ହଷ୍ଟେଲ ନିର୍ମାଣ । ତେବେ ଦାୟିତ୍ୱରେ ରହିଥିବା ଠିକା ସଂସ୍ଥାର ଅବହେଳା ଓ ମନମୁଖୀ କାର୍ଯ୍ୟ ଯୋଗୁଁ ହଷ୍ଟେଲଗୁଡିକ ବର୍ଷବର୍ଷ ଧରି ମଙ୍ଗଳ ବିଭାଗକୁ ହସ୍ତାନ୍ତର ହୋଇପାରିନାହିଁ । ଶେଷରେ କାର୍ଯ୍ୟାନୁଷ୍ଠାନ ପାଇଁ ଏବେ ରାୟଗଡ଼ା ଥାନାରେ ମାମଲା ପହଞ୍ଚିଛି ।
ଏନେଇ ରାୟଗଡ଼ା ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ 'ହିନ୍ଦୁସ୍ତାନ ଷ୍ଟିଲ୍ ଆଣ୍ଡ କନଷ୍ଟ୍ରକ୍ସନ' କମ୍ପାନୀ ବିରୁଦ୍ଧରେ ରାୟଗଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ, ଜିଲ୍ଲା ମଙ୍ଗଳ ବିଭାଗ ଅଧୀନରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ 2016-2017 ଆର୍ଥିକ ବର୍ଷରେ 23ଟି ହଷ୍ଟେଲ ନିର୍ମାଣ ପାଇଁ ଏହି କମ୍ପାନୀ ସହିତ ଚୁକ୍ତି ହୋଇଥିଲା । କିନ୍ତୁ ଆଜକୁ 7 ବର୍ଷ ବିତିଯାଇଥିଲେ ସୁଦ୍ଧା 23ଟି ହଷ୍ଟେଲରୁ ମାତ୍ର ଗୋଟିଏ ହଷ୍ଟେଲ୍ ଜିଲ୍ଲା ମଙ୍ଗଳ ବିଭାଗକୁ ହସ୍ତାନ୍ତର କରିଛି କମ୍ପାନୀ । ତେବେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଅବଶିଷ୍ଟ ହଷ୍ଟେଲ ଗୃହ ନିର୍ମାଣ ସମ୍ଭବ ହୋଇପାରିନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।
ଏହା ମଧ୍ୟ ପଢନ୍ତୁ...ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୩ ଶିକ୍ଷାସୌଧ ଓ ୨୮ ଛାତ୍ରାବାସ ଉଦଘାଟିତ
ତେବେ କମ୍ପାନୀର ଖାମଖିଆଲି ମନୋଭାବ ଯୋଗୁଁ ବାରମ୍ବାର ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ତାଗିଦ କରାଯାଇଥିଲେ ସୁଦ୍ଧା କୌଣସି ତତ୍ପରତା ଦେଖିବାକୁ ମିଳିନି । ବିଭାଗୀୟ ଅଧିକାରୀ ବାରମ୍ବାର ତାଗିଦ କଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଫଳରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ନାଁରେ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି ।
ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ କହିଛନ୍ତି, "ହିନ୍ଦୁସ୍ତାନ ଷ୍ଟିଲ୍ ଆଣ୍ଡ୍ କନଷ୍ଟ୍ରକ୍ସନ୍ କମ୍ପାନୀର ମ୍ୟାନେଜର ପ୍ରତ୍ୟୁଷ କୁମାର , ସିନିଅର ଇଞ୍ଜିନିୟର ପିରିମ୍ବୀସ ମୈତି, ଜୁନିୟର ଇଞ୍ଜିନିୟର ଅମନ କୁମାର ଏବଂ ସିନିୟର ପ୍ରୋଜେକ୍ଟ ଇଞ୍ଜିନିୟରଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ କରାଯାଇଛି ।" ସେପଟେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀଙ୍କଠାରୁ ଲିଖିତ ଅଭିଯୋଗ ମିଳିଲା ପରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ରାୟଗଡ଼ା ପୋଲିସ ।
ଇଟିଭି ଭାରତ, ରାୟଗଡ଼ା