ରାୟଗଡା: ସମସ୍ୟାର ପାହାଡ ତଳେ ନିୟମଗିରିର ଆଦିମ ଜନଜାତି ଡଙ୍ଗରିଆ କନ୍ଧ । ସରକାରଙ୍କ ମାଳମାଳ ଯୋଜନା ବି ଏହି ପାହାଡ ପଥରକୁ ଲଘିଂ ଆଗକୁ ଯାଇପାରୁନି । ଏମାନଙ୍କ ସ୍ଥିତି ଦେଖିଲେ ଆପଣ ବି ବୁଝିପାରିବେ ବିକାଶର ଗୋଲାପୀ ଚିତ୍ର କେତେ ପ୍ରତିଫଳିତ ଏଠାରେ ?
ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକର ନିୟମଗିରି ପାହାଡରେ ରହିଛି କାଦ୍ରକା ବଂଦେଲି ଗାଁ । ଏଠାରେ ଡଙ୍ଗରିଆ ସମ୍ପ୍ରଦାୟର ପ୍ରାୟ 45 ପରିବାର ବସବାସ କରନ୍ତି । ହାତଗଣତି କେତେ ଜଣ ଛାଡିଦେଲେ ସମସ୍ତ ବାସିନ୍ଦା ଆଜି ବି ସରକାରୀ ଯୋଜନାରୁ ବଞ୍ଚିତ । ରାସ୍ତା-ଘାଟ, ପାନୀୟ ଜଳ, ସ୍କୁଲ ,ସ୍ବାସ୍ଥ୍ୟବ୍ୟବସ୍ଥା ସବୁ ଏଠି ବିପର୍ଯ୍ୟସ୍ତ । ବାର୍ଦ୍ଧକ୍ୟଭତ୍ତା କି ବିଧବା ଭତ୍ତା କିଛିବି ପାଉନାହାଁନ୍ତି ଏହି ଗରିବ ଜନଜାତି ସମ୍ପ୍ରଦାୟ।
ଜଙ୍ଗଲ ରାସ୍ତାର କଡେ କଡେ ବିପଦସଙ୍କୁଳ ଭାବେ ଯାତାୟତ କରନ୍ତି ଏଠାକାର ଲୋକେ । ଏପରିକି ଗତ ଆଠ ମାସ ଧରି ହିତାଧିକାରୀଙ୍କ ପାସବୁକ ସମିତି ମେମ୍ବରଙ୍କ ପାଖରେ ପଡିରହିଛି । ଏନେଇ ବ୍ଲକ ଅଫିସକୁ ବାରମ୍ବାର ଗଲେ ମଧ୍ୟ ବିଭାଗୀୟ ଅଧିକାରୀ ନାନା ଆଳ ଦେଖାଇ ଦିନ ଗଡେଇବାରେ ଲାଗିଛି । ଯେଉଁଥିପାଇଁ ଏବେ ସୁଦ୍ଧା କୌଣସି ସହାୟତା ମିଳିପାରୁ ନାହିଁ । ତେବେ ଗୁହାରି ଏବେ ଜିଲ୍ଲାପାଳଙ୍କ ନିକଟରେ । ପ୍ରଶାସନ ଏବେ ଶୁଣିବ କି ଏମାନଙ୍କ ଦୁଃଖ? ସମାଧାନ କରିବ କି ପଡିରହିଥିବା ସବୁ ସମସ୍ୟା ? ତାହା ସମୟସାପେକ୍ଷ ।
ରାୟଗଡାରୁ ରଞ୍ଜନ ରଥ , ଇଟିଭି ଭାରତ