ରାୟଗଡା: ନିଜ ସର୍ଭିସ୍ ରିଭଲଭରରେ ନିଜକୁ ଗୁଳି କରି ଆତ୍ମହତ୍ୟା । ଏଭଳି ଘଟଣା ଘଟିଛି ରାୟଗଡ଼ ଜିଲ୍ଲା ସଦର ମହକୁମା ସ୍ଥିତ ସି.ଆର୍.ପି.ଏଫ୍ ୪ର୍ଥ ବ୍ୟାଟେଲିୟନ ମୁଖ୍ୟ କାର୍ଯ୍ୟାଳୟରେ । ସେଠାରେ ଥିବା ଶୌଚାଳୟରେ ଆଜି ସକାଳୁ ସି.ଆର୍.ପି.ଏଫ୍ ର ଡେପୁଟି କମାଣ୍ଡାଣ୍ଟ ସୁନିଲ କୁମାର ନିଜ ସର୍ଭିସ୍ ରିଭଲଭରରେ ବାମ ପଟ ଛାତିକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଥିବା ଘଟଣା ଜଣା ପଡ଼ିଛି ।
ସୂଚନା ଅନୁଯାୟୀ, ସେ ସକାଳ ପ୍ରାୟ ୯.୩୦ ମିନିଟ ସମୟରେ କାର୍ଯ୍ୟଳୟ କୁ ଯାଇ ଶୌଚାଳୟ ଭିତରେ ପଶିଥିଲେ। ହେଲେ ଅଧିକ ସମୟ ହେବ ନ ବାହାରିବା ଯୋଗୁଁ ଜନୈକ କାର୍ଯ୍ୟରତ ଗାର୍ଡ ଯାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସୁନିଲ କୁମାରଙ୍କ ମୃତ ଶରୀର ଦେଖି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ସି.ଆର୍.ପି.ଏଫ୍ ତରଫରୁ ବିଧିବଦ୍ଧ ଭାବେ ରାୟଗଡା ଥାନାକୁ ଖବର ଦେବା ପରେ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅନୁସନ୍ଧାନ ଆରମ୍ଭ କରିଛି । ଏହା ପରେ ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଯାଇ ଘଟଣାର ଅନୁଧ୍ୟାନ କରିବା ସହ ସାଇଣ୍ଟିଫିକ ଟିମ ପହଞ୍ଚି ପାରିପାର୍ଶ୍ଵିକ ସ୍ଥିତିର ଅନୁଧ୍ୟାନ କରିଛନ୍ତି ।
ତେବେ ସୁନିଲ କୁମାରଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର ନିଆଯାଇଥିଲା । ମୃତ ସୁନିଲ କୁମାରଙ୍କ ଘର ସୁଦୂର ବିହାର ରାଜ୍ୟ ସୀତାମାଢି ଜିଲ୍ଲା ଅନ୍ତର୍ଗତ ଭଲସା ଗ୍ରାମରେ ହୋଇଥିବା ବେଳେ ସେ ତାଙ୍କ ପରିବାର ସହ ରାୟଗଡ଼ ସ୍ଥିତ ରିଙ୍ଗ ରୋଡରେ ରହୁଥିଲେ । ଘଟଣା ପରେ ସୁନିଲ କୁମାରଙ୍କ ସ୍ତ୍ରୀ ଘଟଣା ସ୍ଥଳକୁ ଅଣାଯାଇ ଥିଲା । ପରେ ଦୁଇଟି ଡାକ୍ତରଙ୍କ ଦ୍ଵାରା ସୁନିଲ କୁମାରଙ୍କ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି । ତେବେ ତାଙ୍କ ପୈତୃକ ଗାଁ ବିହାରର ସୀତାମାଢି ଜିଲ୍ଲା ଅନ୍ତର୍ଗତ ଭଲସା ଗ୍ରାମକୁ ସିଆରପିଏଫର ଏକ ସ୍ଵତନ୍ତ୍ର ଗାଡିରେ ସୁରକ୍ଷା ସହିତ ପଠାଯାଇ ଥିବା ସି.ଆର୍.ପି.ଏଫ୍ ୪ର୍ଥ ବ୍ୟାଟେଲିୟନ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆ ଯାଇଛି ।
ଏଥିସହ ଡେପୁଟି କମାଣ୍ଡେଂଟ ସୁନୀଲ କୁମାର କେଉଁ କାରଣରୁ ଆତ୍ମହତ୍ୟା କଲେ ଏବଂ ତାଙ୍କ ଉପରେ କିଛି ବିଭାଗୀୟ ଚାପ ଥିଲାକି କିମ୍ବା ପାରିବାରିକ ଅଶାନ୍ତି ଯୋଗୁଁ ଏଭଳି କାଣ୍ଡ ଘଟାଇ ପାରନ୍ତି କି ତାହା ଏଯାବତ୍ ଜଣା ପଡି ନ ଥିବା ନେଇ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହା ତଦନ୍ତ ପରେ ଜଣା ପଡ଼ିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ସବୁଠାରୁ ବଡ କଥା ହେଲା ଏ ନେଇ ସି.ଆର୍.ପି.ଏଫ୍ ୪ର୍ଥ ବ୍ୟାଟେଲିୟନ ମୁଖ୍ୟ କାର୍ଯ୍ୟାଳୟ କିମ୍ବା ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।
ଇଟିଭି ଭାରତ, ରାୟଗଡା