ରାୟଗଡା: ଜେକେପୁର ଇଏସଆଇସି ପରିସରରେ ଶହେ ଶଯ୍ୟା ବିଶିଷ୍ଟ କୋଭିଡ଼୍ ହସ୍ଟିଟାଲ କାର୍ଯ୍ୟକ୍ଷମ ହୋଇଛି। ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡା. ଶର୍ବଣା ବିବେକ ଏମ ଏହି ହସ୍ପିଟାଲର ଉଦଘାଟନ କରିଛନ୍ତି ।
ଏହି ହସ୍ପିଟାଲରେ ଆଇସିୟୁ ଓ ଭେଣ୍ଟିଲେଟର୍ ସୁବିଧା ନଥିବା ବେଳେ କେବଳ ଅକ୍ସିଜେନର ସୁବିଧା ରହିଛି । ଜରୁରୀ ପରିସ୍ଥିତିରେ ରୋଗୀଙ୍କୁ ବ୍ରହ୍ମପୁର, କୋରାପୁଟ କିମ୍ବା ଭୁବନେଶ୍ବର ପଠାଯିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିବା କହିଛନ୍ତି ଜିଲ୍ଲାପାଳ । ରାୟଗଡ଼ାରେ ବର୍ତ୍ତମାନ ସୁଦ୍ଧା କୌଣସି ପଜିଟିଭ୍ ଚିହ୍ନଟ ହୋଇନଥିବା ବେଳେ ୧୦୬ଟି ସ୍ବାବ ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଯାଇଛି। ସେଥିମଧ୍ୟରୁ ୯୦ଟି ସ୍ବାବ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ୧୬ଟି ସ୍ବାବର ପରୀକ୍ଷଣ ରିପୋର୍ଟ ଆସିପାରିନି।
ସଙ୍ଗରୋଧ ଓ ଗୃହାବଦ୍ଧରେ ଥିବା ୩ ହଜାର ବ୍ୟକ୍ତିଙ୍କ ମଧ୍ୟରୁ ୨୫୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ୧୪ ଦିନ ନୀରିକ୍ଷଣରେ ରହିବା ପରେ ଘରକୁ ଫେରିଛନ୍ତି। ଏମାନଙ୍କ ନିକଟରେ କୌଣସି ଲକ୍ଷଣ ନାହିଁ। ତଥାପି ରାପିଡ୍ ରେସପନସ୍ ଟିମ୍ ସମସ୍ତଙ୍କ ଉପରେ ନଜର ରଖିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
କାର୍ଯ୍ୟକ୍ଷମ ହୋଇଥିବା କୋଭିଡ଼୍ ହସ୍ପିଟାଲରେ ୫ ଜଣ ଡାକ୍ତର, ୩ ଜଣ ଫାର୍ମାସିଷ୍ଟ୍, ୨ ଜଣ ଲ୍ୟାବ୍ ଟେକ୍ନିସିଆନ୍, ୧୨ ଜଣ ଷ୍ଟାଫ୍ ନର୍ସ, ୬ ଜଣ ସୁଇପର, ୪ ଜଣ ସିକ୍ୟୁରିଟ୍, ଜଣେ ଏଚ୍ଏମ ନିଯୁକ୍ତି ହୋଇଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ