ରାୟଗଡା: କୋରୋନାକୁ ନେଇ ରାୟଗଡାରେ ସ୍ବତନ୍ତ୍ର ସ୍କ୍ବାର୍ଡରେ ଚଢ଼ାଉ । ବନ୍ଦ ହେଲା ମଲ୍ । ମହାମାରୀ କୋରୋନାକୁ ନେଇ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ବ୍ୟାପକ ପ୍ରସ୍ତୁତି ।
ରାୟଗଡ଼ା ସହର ଏବଂ ଏହାର ଆଖପାଖ ଅଞ୍ଚଳ ପାଇଁ ରାୟଗଡ଼ା ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ, ରାୟଗଡ଼ା ତହସିଲଦାର, ରାୟଗଡ଼ା ଏସଡ଼ିପିଓଙ୍କୁ ନେଇ ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ ହୋଇଛି । ଏହି ସ୍କ୍ବାଡ଼ ଶନିବାର ସନ୍ଧ୍ୟାରେ ସହରର ବିଭିନ୍ନ ସ୍ଥାନରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିଲେ ।
ପ୍ରଥମେ ଏହି ଟିମ୍ ରାୟଗଡ଼ା ରେଲୱେ ଷ୍ଟେସନ ପହଞ୍ଚି ପରିମଳ ପରିଚ୍ଛନ୍ନ ସହ କୋରୋନାକୁ ନେଇ କଣ କଣ ସଚେତନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ତାର ସମୀକ୍ଷା କରିଥିଲେ । ପରେ ସହର ଉପକଣ୍ଠରେ ଥିବା ଏକ ମଲରେ ପହଞ୍ଚି ଜିଲ୍ଲାପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ମଲ୍କୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।
ଶେଷରେ ସହରରେ ଥିବା ବ୍ୟାୟମଶାଳା ଗୁଡ଼ିକୁ ଯାଇ କୋରୋନାକୁ ନେଇ ସଚେତନ କରିବା ସହ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ କହିଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ