ରାୟଗଡା: ଜିଲ୍ଲା ସ୍ଥିତ ନିୟମଗିରିରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛନ୍ତି କୋରୋନା ପଜେଟିଭ । କଲ୍ୟାଣ ସିଙ୍ଗପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତରୁ 3 ଜଣ ଏବଂ ପାର୍ଶାଲି ପଞ୍ଚାୟତ ନିରୁଗୁଣ୍ଡିରୁ ଜଣେ, ପାକିରିରୁ ଜଣେ ବୁଡୁଣିରୁ ଜଣେ ମୋଟ 6 ଜଣ ଚିହ୍ନଟ ହୋଇଛନ୍ତି ।
ସେମାନଙ୍କ ମଧ୍ୟରୁ 4 ଜଣ ମହିଳା ଏବଂ 2 ଜଣ ପୁରୁଷ ବୋଲି ଜଣାପଡ଼ିଛି । ଚିହ୍ନଟ ଚାରିଜଣ ମହିଳାଙ୍କ ମଧ୍ୟରୁ ଜଣେ ଗର୍ଭବତୀ ରହିଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପ୍ରସବ ହେବା ପରେ ତାଡ଼ମା ସ୍ଥିତ କୋଭିଡ ସେଣ୍ଟରକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପରବର୍ତ୍ତୀ ସମୟରେ ସେ ସେଠାରୁ ଲୁଚି ଚାଲି ଯାଇଥିବା ଜଣାପଡ଼ିଛି । ଅପରପକ୍ଷେ ଅନ୍ଧ ବିଶ୍ଵାସର ବଶବର୍ତ୍ତୀ ହୋଇ ନିୟମଗିରି ଅଞ୍ଚଳର ଚିହ୍ନଟ ଅନ୍ୟ 5 ଜଣ ମେଡ଼ିସିନ ବ୍ୟବହାର କରିବାକୁ ମନା କରୁଥିବାରୁ ହରଡଘଣାରେ ପଡିଯାଇଛନ୍ତି ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ ଅଧିକାରୀ ଏବଂ କର୍ମଚାରୀ । ଔଷଧ ଖାଇବାକୁ ଯେତେ ବୁଝାଇଲେ ସୁଧା ଅବୁଝା ହେଉଛନ୍ତି କୋରୋନା ଆକ୍ରାନ୍ତ । ସେପଟେ ଆକ୍ରାନ୍ତ ହସ୍ପିଟାଲରୁ ଲୁଚି ଚାଲିଯିବା ଘଟଣା କୋଭିଡ ସେଣ୍ଟରର ସୁରକ୍ଷା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ