ରାୟଗଡା: ଗୁଣୁପୁରରେ ବିଜେପିର ବିଧାନସଭା ସ୍ତରୀୟ ଜନସମ୍ବାଦ ରାଲି ଅନୁଷ୍ଠିତ ହୋଇଯାଇଛି । ସରକାର ବର୍ଷକର ରିପୋର୍ଟ କାର୍ଡ ଭୋଟରଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଗୁଣୁପୁର ବିଧାନସଭା ସ୍ତରୀୟ ଭରଚୁଆଲ ରାଲି ଆୟୋଜନ ହୋଇଯାଇଛି । ଯାହାକୁ ବିଜେପିର ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର ସମ୍ବୋଧନ କରିଛନ୍ତି । ଦଳୟ କର୍ମୀ, ଜନସାଧାରଣ ମୋବାଇଲ ମାଧ୍ୟମରେ ଏହି ରାଲିରେ ଅଂଶ ଗ୍ରହଣ କରିଛନ୍ତି । ରାୟଗଡା କାଳୀପୂଜା ମଣ୍ଡପ ଠାରେ ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକଙ୍କ ନେତ୍ବତ୍ବରେ ଆୟୋଜିତ ରାଲିରେ ରାଷ୍ଟ୍ରୀୟ ଆଦିବାସୀ ମୋର୍ଚ୍ଚା ଉପସଭାପତି କାଳିରମ ମଝି, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାମଚନ୍ଦ୍ର ବେହେରା ସମେତ ବହୁ କର୍ମକର୍ତ୍ତା ଅଂଶ ଗ୍ରହଣ କରିଛନ୍ତି ।
ଏହି ରାଲି ମାଧ୍ୟମରେ ରାଲିର ମୁଖ୍ୟ ବକ୍ତା ଭୃଗୁ ବକ୍ସିପାତ୍ର ନିଜର ବକ୍ତବ୍ୟରେ ମୋଦି ସରକାର କିଭଳି ଓଡିଶାର ବିପତ୍ତି ସମୟରେ ଆର୍ଥିକ ସହାୟତା କରିଛନ୍ତି ସେନେଇ ଅଭିଭାଷଣ ରଖିଥିଲେ । ରେଳବାଇ କ୍ଷେତ୍ରରେ ଅନୁଦାନ, ମହାମାରୀ ସମୟରେ ଏମଏସଏମଇ କ୍ଷେତ୍ରରେ ସହାୟତା ଆଦି ବିଷୟରେ ଲୋକଙ୍କୁ ବୁଝାଇଥିଲେ । ସେହିପରି ବିଷ୍ଣୁ ସେଠୀ ଏକ ବର୍ଷ ମଧ୍ୟରେ ଦଳ ତରଫରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ