ରାୟଗଡା: ସହରରେ ରେଳବାଇ ଜମିରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କ ଥଇଥାନ କରିବା ଦାବିରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସହରର ପ୍ରାୟ ୪୦ଟି ବସ୍ତି ରେଳବାଇ ଜମିରେ ଗଢି ଉଠିଛି । ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ହେବ ସେମାନେ ଏହି ସ୍ଥାନରେ ହଜାର ହଜାର ଲୋକ ରହିଆସୁଛନ୍ତି । ତେବେ ସେମାନଙ୍କ ଥଇଥାନ କଥା ଚିନ୍ତା ନକରି ରେଳବାଇ ପକ୍ଷରୁ ଉଚ୍ଛେଦ ଆରମ୍ଭ ହୋଇଛି ।
ରାୟଗଡା ଠାରେ ରେଳ ଡିଭିଜନ ଅଫିସ ପାଇଁ ଏହି ଉଚ୍ଛେଦ ଆରମ୍ଭ ହୋଇଛି । ତେଣୁ ଏହାର ତୀବ୍ର ପ୍ରତିବାଦ କରିଛି ବିଜେଡି । ଉଚ୍ଛେଦ ପୂର୍ବରୁ ସେମାନଙ୍କ ପାଇଁ ଥଇଥାନ ବ୍ୟବସ୍ଥା କରିବାକୁ ଦାବି ହୋଇଛି । ନଚେତ୍ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା ହୋଇଛି ।
ଏହି ଅବସରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି ଦଳ । ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ନେତୃତ୍ବରେ ହଜାର ହଜାର ବସ୍ତି ବାସିନ୍ଦା ଏଥିରେ ସାମିଲ ହୋଇଥିଲେ ।
ରାୟଗଡାରୁ ରଞ୍ଜନ କୁମାର ରଥ , ଇଟିଭି ଭାରତ