ରାୟଗଡ଼ା: ସମଗ୍ର ବିଶ୍ୱରେ କୋରୋନା ନିଜର କାୟା ବିସ୍ତାର କରିଥିବା ବେଳେ ଏଥିଲାଗି ସତର୍କତା ଜାରି କରିଛନ୍ତି ସରକାର । ଏଥିପାଇଁ ଅଧିକ ଜନଗହଳି ନକରିବା ନିମନ୍ତେ ଗାଇଡଲାଇନ ଜାରି କରାଯାଇଛି । ଏଭଳିକି ଧାରା ୧୪୪ ମଧ୍ୟ ଲାଗୁ କରାଯାଇଛି । ହେଲେ ଏହାକୁ ବେଖାତିର କରି ଜଣେ ଦାୟିତ୍ୱ ସଂପନ୍ନ ସରକାରୀ ଅଧିକାରୀ ଆଜି ପ୍ରାୟ ୧ ହଜାର ଲୋକଙ୍କ ଭୋଜି ଆୟୋଜନ କରିଥିଲେ । ରାୟଗଡାର ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ନିଜ ପୁଅ ବିବାହ ପାଇଁ ଏହି ଆୟୋଜନ କରିଥିଲେ ।
ସହରର ଗୌତମ ନଗରରେ ବିରାଟ ଆୟୋଜନ କରାଯାଇଥିଲା । ଏହି ଅଭିଯୋଗ ପ୍ରଶାସନ ନିକଟରେ ପହଞ୍ଚିଥିଲା । ଅଭିଯୋଗ ମିଳିବା ପରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ଚଢାଉ କରିଥିଲେ । ଗହଳି ଭାଙ୍ଗିବା ସହ ୫୦ ରୁ ଅଧିକ ଲୋକ ଗହଳି ନକରିବା ପାଇଁ କହିଥିଲେ । ଏଥିସହ ସେହି ଭୋଜି ସ୍ଥାନରେ ପୋଲିସ ମୁତୟନ କରାଯାଇଥିଲା । କୌଣସି ପରିସ୍ଥିତିରେ ମଧ୍ୟ ୫୦ ଲୋକଙ୍କ ଠାରୁ ଅଧିକ ସମାଗମ ଗୋଟିଏ ସ୍ଥାନରେ ହେବ ନାହିଁ ବୋଲି ତାଗିଦ କରାଯାଇଛି । ସେହିଭଳି ସହରର ସମସ୍ତ କଲ୍ୟାଣ ମଣ୍ଡପ ବୁକିଂ ମଧ୍ୟ ରଦ୍ଦ ହୋଇଥିବା ତହସିଲଦାର କହିଛନ୍ତି । ଏଥିପ୍ରତି ଆମେ ସତର୍କ ଅଛୁ ଓ କଡା ନଜର ରହିଛି ବୋଲି ସୂଚନା ଦେଇଛନ୍ତି ତହସିଲଦାର ।
ରାୟଗଡ଼ାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ