ରାୟଗଡା: ଅସହାୟ ପ୍ରବାସୀ ଶ୍ରମିକଙ୍କୁ ସହାୟତା ଯୋଗାଇ ଦେବାକୁ ଜିଲ୍ଲାରେ ଖୋଲିଲା ସହାୟତା କେନ୍ଦ୍ର । ରାଜ୍ୟ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ପରିସରରେ ଏହି ସହାୟତା କେନ୍ଦ୍ର ଖୋଲା ଯାଇଛି । ଜିଲ୍ଲା ଦୌରାଜର୍ଜ ଚିତ୍ତରଞ୍ଜନ ଦାଶ ଏହାକୁ ଉଦଘାଟନ କରିଛନ୍ତି ।
ଏହି ଅବସରରେ ଅତିଥି ଭାବେ ଜିଲ୍ଲା ଆଇନସେବା ସମ୍ପାଦକ ମନୋରଞ୍ଜନ ମିଶ୍ର, ମୁଖ୍ୟ ବିଚାର ବିଭାଗୀୟ ଜଜ ମନୋରଞ୍ଜନ ଦାଶ, ରେଜିଷ୍ଟ୍ରାର ପ୍ରତିମା ପାତ୍ର, ବରିଷ୍ଠ ବିଚାର ବିଭାଗୀୟ ଜଜ ଶତରୂପା ଶତପଥୀ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଜଜ ସୁବେନ୍ଧୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ତେବେ ପ୍ରବାସୀ ଶ୍ରମିକଙ୍କୁ ଆଇନସେବା ପ୍ରଦାନ ସମେତ ସେମାନଙ୍କର ବିଭିନ୍ନ ସମସ୍ୟା ସଂକ୍ରାନ୍ତରେ ଆଇନର ସହାୟତା ଯୋଗାଇ ଦେବା ଲକ୍ଷ୍ୟରେ ଏହି କେନ୍ଦ୍ର ଆରମ୍ଭ କରାଯାଇଛି ବୋଲି ସମ୍ପାଦକ ମନୋରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ