ରାୟଗଡା: ଓଡିଶା - ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ବସବାସ କରୁଥିବା ଗ୍ରାମବାସୀ ମାନଙ୍କର ଦୁଃଖର କାରଣ ପାଲଟିଛି ନାଗାବଳୀ ନଦୀ । ବିଶେଷ କରି କେରେଡା ପଞ୍ଚାୟତ ଅଧିନରେ ଥିବା ଗାଁ ଅନିଜା । ନାଗାବଳୀ ନଦୀ ଉପରେ ପୋଲଟିଏ ନଥିବା ଯୋଗୁଁ ଅନିଜା, ଆମ୍ପୁଲବାଲସା ଏବଂ ବୋରହାଲୁଆ ଗ୍ରାମବାସୀମାନେ ଏକ ପ୍ରକାର ଜଳବନ୍ଦୀ ଅବସ୍ଥାରେ ବସବାସ କରୁଛନ୍ତି ।
ବର୍ଷା ଋତୁ ଆସିଲେ ଏହି ଗାଁ ଗୁଡିକ ଏକ ପ୍ରକାର ଜଳବନ୍ଦୀ ଜୀବନ ବିତାଉଛନ୍ତି । ଅପରପକ୍ଷେ ଜଳବନ୍ଦୀରୁ ମୁକ୍ତି ପାଇବା ପାଇଁ ଗ୍ରାମବାସୀ ମାନେ ଏକ ମୋଟର ଚାଳିତ ଡଙ୍ଗା ନାଗାବଳୀ ନଦୀ ଉପରେ ଚଳାଚଳ କରିବା ପାଇଁ ପ୍ରଶାସନ ନିକଟରେ ଗୁହାରୀ କରିଥିଲେ ମଧ୍ୟ ପ୍ରଶାସନ ତରଫରୁ ମୋଟର ଚାଳିତ ବୋଟ ପକାଇବାର କୌଣସି ବ୍ୟବସ୍ଥା କରାଯାଇ ନଥିଲା । ବର୍ଷା ଦିନ ଆସିଲେ ଗ୍ରାମବାସୀମାନେ ସ୍ୱାସ୍ଥ୍ୟ ଓ ଶିକ୍ଷା ଦାନରୁ ବଞ୍ଚିତ ହେଉଥିଲେ ।
ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀମାନେ ଚାନ୍ଦା ଆଦାୟ କରି ୧ ଲକ୍ଷ ୫୦ ହଜାର ଟଙ୍କାରେ ଏକ ମୋଟର ଚାଳିତ ବୋଟ କିଣିଥିଲେ । ଗାଁର ଯୁବକ ସଙ୍ଘର ପିଲାମାନେ ଭରା ନଈ ପାର କରାଉଥିଲେ ଲୋକଙ୍କୁ । ତେବେ ପ୍ରଶାସନ ନିକଟକୁ ଏହି ଖବର ପହଞ୍ଚିବା ପରେ ସେଠାରେ ସରକାରୀ ଭାବେ ଡ଼ଙ୍ଗା ଘାଟ ମାନ୍ୟତା ପାଇନଥିବା ଏବଂ ଡ଼ଙ୍ଗା ଚଳାଇବା ପାଇଁ ନାଉରୀ ପ୍ରଶିକ୍ଷଣ ନେଇନଥିବା କାରଣରୁ ପ୍ରଶାସନ ପକ୍ଷରୁ ମୋଟର ଚାଳିତ ବୋଟ ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ