ରାୟଗଡା: ପାଠ ପଢିବା ପାଇଁ ଅହେତୁକ ଦୁର୍ବଳତା । ବରଂ ନ ଖାଇବୁ ଝିଅକୁ ପାଠ ପଢାଇବୁ । ଏପରି ଦୃଢ ମନୋବଳ ଆଉ ଇଚ୍ଛାଶକ୍ତି ଆଗରେ ଦାରିଦ୍ର୍ଯ ବି ହାର ମାନିଛି । ସବୁ ବାଧା ପ୍ରତିବନ୍ଧକକୁ ପଦଦଳିତ କରି ପାଠପଢାରେ ମନ ନିବେଶ କରିଛନ୍ତି ରାୟଗଡା ଜିଲ୍ଲା ସଦର ମହକୁମା ଗୁମ୍ମା ପଞ୍ଚାୟତର କବିତା ନିଶିକା । ପିଲାଟି ବେଳୁ ବାପା ଛେଉଣ୍ଡ କବିତାଙ୍କ ଖାଇବା, ପିଇବା ଓ ପଢିବା ଖର୍ଚ୍ଚ ମଉସା ଓ ପିଉସା ବୁଝନ୍ତି । ମାଆ ଓ ଭଉଣୀ ପର ଘରେ ମୂଲ ଲାଗି ତାଙ୍କୁ ଭୁବନେଶ୍ବରରେ ପାଠ ପଢାଉଥିଲେ । ମାତ୍ର କୋରୋନା ପାଇଁ ସେସବୁରୁ ଏବେ ବଞ୍ଚିତ କବିତା । ଅନଲାଇନ କ୍ଲାସ ପାଇଁ ମୋବାଇଲ ଫୋନର ଅଭାବ ସାଙ୍ଗକୁ ଘରେ ତେଲ ଲୁଣର ଅଭାବ ।
ମାତ୍ର କୋରୋନା ପାଇଁ ଘରକୁ ଫେରିଆସି ପାଠପଢା ସାଙ୍ଗକୁ ଘର କାମ ମଧ୍ୟ କରନ୍ତି କବିତା । ଏହି ସମୟରେ ଅନଲାଇନ ପରୀକ୍ଷା ପାଇଁ ପ୍ରତିବନ୍ଧକ ସୃଷ୍ଟି କରେ ମୋବାଇଲ୍ ଫୋନ୍ । ପାଠପଢା ଆଉ ଆଗକୁ ହୋଇପାରିବନି ଆଶଙ୍କାରେ ଭାଙ୍ଗିପଡନ୍ତି । ମାତ୍ର ପିଲାଟି ବେଳୁ ପଢିବା ପାଇଁ ଯେଉଁ ସଙ୍ଘର୍ଷ ବୃଥା ଯାଇଥାନ୍ତା ବା କିପରି । କୁଲି କାମ କରି ଘରେ ଥିବା ଚାଉଳ ବିକ୍ରିକରି ଝିଅ ପାଇଁ ମୋବାଇଲ ଫୋନ କିଣି ଦିଅନ୍ତି ମାଆ ।
ମୋବାଇଲ ସିନା କିଣା ହେଲା କିନ୍ତୁ ଅନଲାଇନ ପାଠପଢା ପାଇଁ ଗାଁରେ ନେଟୱର୍କ ସମସ୍ୟା ଆଉ ଏକ ମୁଖ୍ୟ ସମସ୍ୟା ଭାବେ ଉଭାହେଲା । ଶେଷରେ ସେ କିଛି ସାଙ୍ଗମାନଙ୍କ ସହାୟତାରେ ରାୟଗଡ଼ା ସହରରେ ସାଙ୍ଗମାନେ ନେଇଥିବା ଭଡା ଘରେ କବିତା କୁଲି ମଜୁରୀ କରି ସଞ୍ଚିତଥିବା ଅର୍ଥରୁ ହଜାରେ ଟଙ୍କା ଘର ଭଡ଼ା ଦେଇ ଏବେ ଅନଲାଇନ କ୍ଲାସ କରିବାରେ ସକ୍ଷମ ହୋଇଛନ୍ତି । ସେପଟେ ସରକାର ତରଫରୁ ମିଳୁଥିବା ଚାଉଳକୁ ନିଜେ ନ ଖାଇ କବିତାଙ୍କ ମାଆ ପ୍ରତି ମାସ ପଠାଉଛନ୍ତି । ତେବେ ରାୟଗଡା ଜିଲ୍ଲାର ଦୁର୍ଗମ ଅଞ୍ଚଳର କବିତା ନିଶିକାଙ୍କ ଭଳି ମେଧାବୀ ଛାତ୍ରୀଙ୍କ ଇଚ୍ଛା ଶକ୍ତି ଯେ ପାଠ ପଢିବା ପାଇଁ ସବୁ ବାଧାବିଘ୍ନକୁ ଦୂରେଇ ପାରିଛି ଏହା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବନାହିଁ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ